ସମ୍ବଲପୁର : ଦେଶକୁ ଭିକାରିମୁକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ବିଗତ ୨୦୧୮ ମସିହାରୁ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟକୁ ଭିକାରିମୁକ୍ତ କରି ଭିକାରିମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଯୋଜନାଗୁଡିକ ସମ୍ବଲପୁର ଜିଲା ସାମାଜିକ ସୁରକ୍ଷା ଓ ପୂର୍ନବାସ ବିଭାଗ ତରଫରୁ ୨୦୧୮ ମସିହା ଏପ୍ରିଲ ମାସରେ ଜିଲ୍ଲାକୁ ଭିକାରିମୁକ୍ତ କରିବା ପାଇଁ ପ୍ରଥମେ ଏକ ଭବ୍ୟ ସେମିନାର କରାଯାଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେ ସମୟରେ ଜିଲାର ୯ଟି ବ୍ଲକରୁ ଦିବ୍ୟାଙ୍ଗ, ପରିବାର ପରିତ୍ୟକ୍ତ ବ୍ୟକ୍ତି, ବୃଦ୍ଧ/ବୃଦ୍ଧା, ନିରାଶ୍ରିତ ଆଦି ବର୍ଗରୁ ୨ ଶହରୁ ଅଧିକ ଭିକାରିମାନଙ୍କୁ ଜିଲା ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିଲା । ସେହି ଭିକାରିମାନଙ୍କୁ ନେଇ ସ୍ୱତନ୍ତ୍ର କର୍ମଶାଳା ମଧ୍ୟ ଆୟୋଜିତ କରାଯାଇଥିଲା । ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେମାନେ ରହୁଥିବା ବ୍ଲକ କାର୍ଯ୍ୟାଳୟଗୁଡିକ ମାଧ୍ୟମରେ ୧୦ ରୁ ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରି ଜିଲ୍ଲାରେ ସମୁଦାୟ ଚିହ୍ନିତ ଭିକାରିମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ମୋଟରେ ୩.୯୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ସୂଚନା କର୍ମଶାଳାରେ ଦିଆଯାଇଥିଲା । ସହାୟତା ପ୍ରାପ୍ତ ଭିକାରିମାନଙ୍କୁ ବ୍ଲକ ସ୍ତରରୁ କ୍ରମାଗତ ଭାବରେ ମନିଟରିଂ କରାଯାଇ ସମୟ ସମୟରେ ସେମାନଙ୍କର ସ୍ୱାସ୍ଥ୍ୟଗତ ଯାଞ୍ଚ ଓ ଆବଶ୍ୟକ ସ୍ଥଳରେ ସ୍ୱାବଲମ୍ବୀ ହେବା ପାଇଁ ଅଧିକ ସହାୟତା କରାଯିବାର ମଧ୍ୟ ପ୍ରାବଧାନ କରାଯାଇଥିଲା ।
ଭିକାରିମୁକ୍ତ ନିମନ୍ତେ ୪ ବର୍ଷ ମଧ୍ୟରେ ମାଳମାଳ ଯୋଜନା ଲାଗୁ କରାଯିବା ପରେ ବିଗତ ଜାନୁଆରୀ ମାସ ୧୯ ତାରିଖରେ ସମ୍ବଲପୁରକୁ ‘ଭିକାରିମୁକ୍ତ’ କରିବା ନିମନ୍ତେ ମହାନଦୀର ଅପର ପାର୍ଶ୍ୱରେ ବୁର୍ଲା ଥାନା ଅର୍ନ୍ତଗତ ବୈଜାମୁଣ୍ଡା ଗ୍ରାମ ନିକଟରେ ୨୫ କୋଟି ୪୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟରେ ଏକ ଆଇଆଇସି କମ୍ପେ୍ଲକ୍ସ(ଅତ୍ୟାଧୁନିକ ପୁର୍ନବାସ କେନ୍ଦ୍ର)ର ଶୁଭାରମ୍ଭ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡା. ସୁରେଶ ଚନ୍ଦ୍ର ଦଳେଇଙ୍କ ଦ୍ୱାରା ବହୁ ଆଡମ୍ବରରେ କରାଯାଇଥିଲା । ସେ ସମୟରେ ଉକ୍ତ କମ୍ପେ୍ଲକ୍ସରେ ୪୭ ଜଣ ଅସହାୟ, ନିରଶ୍ରିତ ଓ ଭିକାରିମାନଙ୍କୁ ପୁର୍ନବାସ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅନେକ ବାଦବିବାଦ ଉକ୍ତ କେନ୍ଦ୍ରକୁ ନେଇ ଦେଖାଦେଇଥିବା ବେଳେ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ପୂର୍ନବାସ ବିଭାଗ ତରଫରୁ ଭିକାରିମୁକ୍ତ ଯୋଜନାକୁ କେତେ ସଫଳ ରୂପାୟନ କରାଯାଇଛି ତାହା ଆଜି ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ, ଏବେ କିନ୍ତୁ ସମ୍ବଲପରରେ ଭିକାରି ରହିଛନ୍ତି ।
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଏବେ ବିଭିନ୍ନ ମନ୍ଦିର ବିଶେଷକରି ଶିବାଳୟ ଓ ମହାନଦୀ ଘାଟଗୁଡିକ ଆଖପାଖ ଅଞ୍ଚଳର ସବୁ ରାସ୍ତା ଓ ପୁରୁଣା ବସ୍ତିରେ ଥିବା ମନ୍ଦିରଗୁଡିକ ନିକଟରେ ଭିକାରିମାନେ ରହିଛନ୍ତି । ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣମା ଅବସରରେ ପ୍ରାତଃ କାଳରୁ ବୋଇତ ବନ୍ଦାଣ ଓ ମନ୍ଦିର ଦର୍ଶନ କରିବା ପରେ ଅସହାୟମାନଙ୍କୁ ଦାନ ଦେଲେ ପୂଣ୍ୟ ମିଳେ । ଏକ ସୂଚନାନୁଯାୟୀ, ଏହି ସମୟରେ ଜଣେ ଜଣେ ଭିକାରିଙ୍କ ଆୟ ଦିନକୁ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ରହିଥାଏ । ଏଣୁ ରବିବାର ରାତିରୁ ଭିକାରିମାନେ ସହରର ବିଭିନ୍ନ ପ୍ରମୁଖ ମନ୍ଦିରମାନଙ୍କ ନିକଟରେ ନିଜ ନିଜ ଆସନ ଅକ୍ତିୟାର କରିଥିଲେ । ଏହି ଆସନ ପାଇଁ ମଧ୍ୟ ଭିକାରିମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗୀତା ହେଉଥିବାର ଦେଖାଯାଇଥିଲା ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ପୁର୍ନବାସ ବିଭାଗର କାର୍ଯ୍ୟାଳୟର ଠିକ ପଛରେ ରହିଥିବା ଅଯୋଧ୍ୟା ଘାଟ(ରିଂ ରୋଡ) ସମେତ ଅନ୍ୟାନ ଘାଟଗୁଡିକ ସମେତ ସହରର ସମସ୍ତ ମନ୍ଦିରଗୁଡିକ ସନ୍ନିକଟର ଦୃଶ୍ୟରୁ ସ୍ପଷ୍ଟ ରୂପେ ଦୁର୍ନୀତିର ଗନ୍ଧ ବାରି ହେବା ସହିତ ପ୍ରମାଣିତ କରୁଛି ଯେ ଭିକାରିମୁକ୍ତ ଯୋଜନାଗୁଡିକର ସଫଳ ରୂପାୟନ କେତେ ଦୂର ସଫଳ । ‘ଭିକାରିମୁକ୍ତ ସମ୍ବଲପୁର’ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ସମ୍ବଲପୁରରେ ଏହା ଏକ ‘ଦିବା ସ୍ୱପ୍ନ’ ପାଲଟିଛି ବୋଲି ସହରବାସୀ ଅଭିଯୋଗ କରୁଛନ୍ତି ।
