ଗୋପାଳପୁର : ଗୋପାଳପୁର ପୁଲିସ ସୋମବାର ଡ଼ିଫେନ୍ସ କୋଲନିରେ ଏକ ଭଡ଼ା ଘରେ ଚାଲୁଥିଲା ନକଲି ଗୁଟଖା କାରଖାନା ଉପରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ଜବତ କରିବା ସହ ଜଣକୁ ଥାନାରେ ଅଟକ ରଖିଛି । ଡ଼ିଫେନ୍ସ କୋଲନିରେ ଥିବା ଏକ ଭଡ଼ା ଘରେ ନକଲି ଗୁଟଖା ପ୍ରସ୍ତୁତ କରାଯାଉଥିବା ନେଇ ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି, ଏସଆଇ ମହେନ୍ଦ୍ର ବେହେରା, ସୋଫିଆ ମିଶ୍ର ଏବଂ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘରର ମୁଖ୍ୟ ଗ୍ରିଲ ଏବଂ କବାଟରେ ତାଲା ପଡିଥିବାରୁ ତାଲା ଭଙ୍ଗାଯାଇ କବାଟ ଖୋଲା ଯାଇଥିଲା । ସେଠାରୁ ଲକ୍ଷାଧିକ ଟଙ୍କାର ଗୁଟଖା ପ୍ରସ୍ତୁତି କରାଯାଇ ମହଜୁଦ ରଖାଯିବା ସହ ଗୁଟଖା ପ୍ରସ୍ତୁତ ସାମଗ୍ରୀ, ଗୁଟଖା ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ମେସିନ, ଓଜନ ମାପିବା ମେସିନ, ଦୁଇଟି ସିଲ ମେସିନ, ଛଅ ବଣ୍ଡଲ ଡିଲକ୍ସ ମିକ୍ସ ଜରି, ପାଞ୍ଚଟି ୯୦୯ ପ୍ୟାକେଟ, କିସାନଜୀ ୨ ପ୍ୟାକେଟ, ୯୦ କେଜି କଞ୍ଚା ମାଲ, ୭୦ କେଜି ତମାଖୁ ପାଉଡର, ଶହେ ପାଉଚ ବିଶିଷ୍ଟ ୫୭ ପ୍ୟାକେଟ ବିନଦାସ ଗୋକୁଲ ଡିଲେକ୍ସ ମିକ୍ସ ଏବଂ ଓରଜିନାଲ ଡିଲକ୍ସ ମିକ୍ସ ୩୧ ପେକେଟ, ୯୦୯ ଜର୍ଦା ପତି ଦୁଇ ଶହ ପାଉଚ ଥିବା ଜଣାପଡିଥିଲା ।

ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଘର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ । ଘର ମାଲିକଙ୍କ ତଥ୍ୟକୁ ଆଧାର କରି ଡିଫେନ୍ସ କଲୋନୀ ଓ ଜଗନ୍ନାଥ ପୁର ଅଞ୍ଚଳର ଧିରେନ ସାହୁ, ବିପିନ ସାହୁ, ବିଜନ ସାହୁ, ତପନ ସାହୁ ଏହି ଚାରି ଜଣ ଘର ଭଡ଼ା ନେଇଥିବା ପୁଲିସ ଜାଣିବାକୁ ପାଇଥିଲେ । ପୁଲିସ ସେମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନଙ୍କ ସୁରାଗ୍ ପାଇନଥିଲା ପୁଲିସ ମୋବାଇଲ ଟ୍ରାକିଙ୍ଗ କରି ଗୋପାଳପୁରରୁ ବିଜନ କୁମାର ସାହୁକୁ କାବୁ କରି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୋଜୁଥିବା ଥାନା ଅଧିକାରୀ କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଜଣେ ରାଜନୈତିକ ବ୍ୟକ୍ତି ଏହି ଯୁବକମାନଙ୍କୁ ଘରଭଡା ଦେବା ନିମନ୍ତେ ଘରମାଲିକଙ୍କ ସହ ଯୋଗାଯୋଗ କରିଥିବା ତଦନ୍ତ ବେଳେ ଜଣାପଡିଥିବାରୁ ଉକ୍ତ ରାଜନୈତିକ ବ୍ୟକ୍ତିଙ୍କ ଏହି କରିବାରରେ କୈାଣସି ସମ୍ପୃକ୍ତ ରହିଛି ନା ନାହିଁ ତାହା ନେଇ ଖୋଳତାଡ ଚାଲିଥିବା ଜଣାପଡିଛି ।
