ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଗୋମାଫିଆ ସକ୍ରିୟ ଗୋ ମାତା ଅସୁରକ୍ଷିତ । ଦୈନିକ ୧୬ ନମ୍ବର ଜାତୀୟ ରାଜପଥରେ ହେଉଛି ଗୋ ଚାଲାଣ । ଜିଲ୍ଲାର ବେଗୁନିଆ କୁଶପଲା, ବେଣାପଂଜରି ଓ ଦିକ୍ଷିତପଡା, ବାଣପୁର ଅଂଚଳରେ ଗୋମାଫିଆ ସକ୍ରିୟ ଥିବା ଜଣାପଡିଛି । କିଛି ଦିନ ବାଲୁଗାଁ, ଦିକ୍ଷିତପଡା, ଖୋର୍ଦ୍ଧା ବେଗୁନିଆ, ନିରାକାରପୁର ଅଂଚଳରେ ବେଆଇନ ଗୋ ମାଂସ ଭର୍ତ୍ତି କଣ୍ଟେନର ଓ ଗୋବୋଝେଇ ଗାଡି ଜବତ ହୋଇଥିବା ନଜରକୁ ଆସିଛି ।
ମାଫିଆମାନେ ଆପଣେଇଛନ୍ତି ଗୋ ଚାଲାଣର ନୂଆ ଫର୍ମୁଲା । ରାତି ୧୦ ପରେ ଗାଈମାନଙ୍କୁ ଗାଁ ଗହଳିରୁ ବାଡେଇ ବାଡେଇ ଦୀର୍ଘ ୧୮ କିଲୋମିଟର ରୁ ୨୦ କିଲୋମିଟର ନେଇ ଜଂଗଲର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଛାଡିବା ପରେ ସେଠାରୁ ଓଡ଼ିଶା ବାହାରକୁ କଣ୍ଟେନରରେ ଗାଈଗୋରୁଙ୍କୁ ପଠାଇବା ନିତିଦିନିଆ ଘଟଣା ହୋଇଗଲାଣି ।
ଗାଈଗୋରୁଙ୍କୁ ଦେଶ ବାହାରକୁ ବେଆଇନ ଚାଲାଣ କରି, ହତ୍ୟା ଓ ମାଂସ ବିକ୍ରି ଉଦ୍ଧେଶ୍ୟରେ ଏଜେଣ୍ଟମାନେ ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ହୋଇଛନ୍ତି । ଜାତୀୟ ରାଜପଥରେ ଗୋରୁ ମାଫିଆମାନେ ଗୋରୁଗାଡିକୁ ସୁରକ୍ଷା ଦେଇ ଜିଲ୍ଲା ବାହାରକୁ ପଠାଇବାରେ କିଛି ଏଜେଣ୍ଟ ଅଛନ୍ତି । ୬/୭ ଦିନ ପୂର୍ବରୁ ଗୋରୁଗୁଡିକୁ ଜାତୀୟ ରାଜପଥରେ ଚଲାଇ ଚଲାଇ ନେଇ ଯାଉଥିବା ବେଳେ, ବାଲୁଗାଁ ଅଂଚଳରେ କିଛି ଯୁବକ ମାଫିଆମାନଙ୍କୁ ଧରି ପୋଲିସର ଜିମା ଦେଇଥିଲା ।
ଗୋଚାଲାଣ ସମୟରେ ଗୋରୁ ବୋଝେଇ ଗାଡିକୁ ସୁରକ୍ଷା ଦେଇ ଅନ୍ୟ ଗାଡିରେ ମାଫିଆମାନେ ଯାଇଥାନ୍ତି । ଗୋ ମାଂସ ଚାଲାଣକୁ କେନ୍ଦ୍ରକରି ଗତ ସୋମବାର ରାମେଶ୍ୱର ଛକ ନିକଟରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇ ରକ୍ତାକ୍ତ ହୋଇଥିବା ବେଳେ, ପୋଲିସ ସେମାନଙ୍କ ନିକଟରୁ ଦୁଇଟି କାର ଜବତ କରି କିଛି ମାରଣାସ୍ତ୍ର ଜବତ କରିଛି ।
ପୋଲିସ ପ୍ରଶାସନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ସମ୍ପର୍କରେ ସବୁ ଜାଣିଥିଲା ବେଳେ, କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ସାଧାରଣ ଲୋକେ ଗୋରୁ ଗାଡିକୁ ଅଟକାଇଲେ ମାଫିଆମାନେ ବମ, ବନ୍ଧୁକ ଦେଖାଇ ଦେଉଛନ୍ତି ହତ୍ୟା ଧମକ । ଆଗାମୀ ଦିନରେ ଗୋସୁରକ୍ଷା ପାଇଁ ପ୍ରଶାସନ ଦୃଷ୍ଟି ନଦେଲେ ଗୋବଂଶ ଅସୁରକ୍ଷିତ ହୋଇପଡିବ ବୋଲି ମତ ଦେଇଛନ୍ତି ସାଧାରଣ ଲୋକେ ।
