କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ, ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ନାବାଳିକା, ମହିଳା ଓ ପୁରୁଷ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ପୁରୁଷ, ୧୭ ମହିଳା ଓ ୧୭ ଜଣ ନାବାଳିକା ଥିବା ପୁଲିସ ସୂଚନା ମିଳିଛି । ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡ଼ିଛି । ଘଟଣାରେ ଜଣେ ଦଲାଲକୁ ପୁଲିସ ଅଟକ ରଖିଥିବା ବେଳେ, ଅନ୍ୟ ଜଣେ ଦଲାଲ ଫେରାର ହୋଇଯାଇଛି । ଏନେଇ ପୁଲିସ ତଦନ୍ତ ଜାରି ରହିଛି । ଅଧିକ ତଥ୍ୟ ଜାଣିବାକୁ ଅଟକ ଥିବା ଦଲାଲକୁ ପୁଲିସ ପଚାରାଉଚରା କରୁଥିବା ବେଳେ, ଫେରାର ଦଲାଲକୁ ଖୋଜିବାକୁ ପୁଲିସ ପ୍ରୟାସ କରୁଛି । ଉଦ୍ଧାର ଶ୍ରମିକଙ୍କୁ ହାଇଦ୍ରାବାଦରେ କେଉଁ କାମରେ ଲଗାଇବାକୁ ନିଆଯାଉଥିଲା ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *