ଭୁଲ୍ ଇଞ୍ଜେକସନ୍ ଦେବାରୁ ମହିଳାଙ୍କ ମୃତ୍ୟୁ !

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଭୁଲ୍ ଇଞ୍ଜେକସନ୍ ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବହୁବନ୍ଧ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିରିଡ଼ିଆଙ୍କ ପତ୍ନୀ ରାଧିକା(୫୫) ।

ସୂଚନା ଅନୁଯାୟୀ, ରାଧିକା ଏକ କଣ୍ଟା ମାଡ଼ି ପକାଇବା ପରେ ଗତକାଲି ରାତିରେ ତାଙ୍କୁ ଜ୍ୱର ଆସିଥିଲା । ଚିକିତ୍ସା ପାଇଁ ସେ ସୋମବାର ଦିନ ଡାକ୍ତରଖାନା ଆସିଥିବା ବେଳେ ତାଙ୍କୁ ପାରାସିଟାମଲ୍, ଆଣ୍ଟିବାଓଟିକ୍ ଓ ଏକ ଇଞ୍ଜେକସନ୍ ଦିଆଯାଇଥିଲା । ତେବେ ସ୍ବାସ୍ଥ୍ୟ କର୍ମଚାରୀ ଜଣକ ଇଞ୍ଜେକସନ୍ ଦେବାର ପ୍ରାୟ ଅଧଘଣ୍ଟାଏ ପରେ ରାଧିକାଙ୍କ ମୃତ୍ୟୁ ଘଟିଥିଲା । ଭୁଲ୍ ଇଞ୍ଜେକସନ୍‌ ଦେବାରୁ ମୃତ୍ୟୁ ଘଟିଥିବା କହି କାର୍ଯ୍ୟରତ ଡା. ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଘେରିଥିଲେ ପରିବାର ଲୋକ । ରାଧିକାଙ୍କ ସ୍ବାସ୍ଥ୍ୟ‌ାବସ୍ଥା ଗୁରୁତର ନଥିବା ବେଳେ, ତାଙ୍କୁ ଠିକ୍ ଇଞ୍ଜେକସନ୍ ଦିଆଯାଇଥିଲା ବୋଲି ବୁଝାଇଥିଲେ ଡା. ପ୍ରଧାନ । ଶବ ବ୍ୟବଚ୍ଛେଦ ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହି ଡା. ପ୍ରଧାନ ଡ୍ୟୁଟିରୁ ଫେରି ଆସିଥିଲେ ବୋଲି କହିଛନ୍ତି ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ସେ ଯିବାପରେ ଉଦଳା ପୁଲିସ ଉପସ୍ଥିତିରେ ବିନା ଶବ ବ୍ୟବଚ୍ଛେଦରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଗଲା । ପରିବାର ଲୋକେ ଶବ ନେଇ ଶେଷକୃତ୍ୟ ବି କରି ସାରିଛନ୍ତି । ହେଲେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ହୋଇଥିବା ମାମଲାରେ ବିନା ବ୍ୟବଚ୍ଛେଦରେ କେମିତି ଶବ ହସ୍ତାନ୍ତର କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କମଳାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଅନୁପସ୍ଥିତ ଥିବାରୁ ଫୋନ୍ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି ।

Leave a Reply

Your email address will not be published. Required fields are marked *