ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ମଇଦାନରେ ହେଭିଓ୍ବେଟଙ୍କ ଜୋରଦାର କ୍ୟାମ୍ପେନ । ଆଜି ପୁଣିଥରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଅପରାହ୍ନ ୩ଟାରେ ଧୂଷୁରି ବାସନ୍ତି ପଡିଆ ଠାରେ ଆୟୋଜିତ ଜନସଭାକୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨୮ , ୨୯ ଦୁଇ ଦିନ ଧରି ଧାମନଗର ଏବଂ ତହିଡି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ଶୋ ଏବଂ ପଦଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଆଜି ଶେଷ ଦିନରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଓହ୍ଲାଉଥିବା ବେଳେ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ପ୍ରଚାର କରି ଭୋଟ ଭିକ୍ଷା କରିଥିବା ବେଳେ ଆଜି ଶେଷ ଦିନରେ ପ୍ରଚାର ଜୋରଦାର ହେବ ।
ସେପଟେ ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ଏବଂ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ମଧ୍ୟ ଶେଷ ଦିନରେ ଜୋରଦାର ପ୍ରଚାର ଲାଗି ପ୍ରସ୍ତୁତି କରିଛନ୍ତି । ଆଜି ସଂଧ୍ୟାରୁ ପ୍ରଚାର ବନ୍ଦ ହେବାକୁ ଥିବାବେଳେ ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଲାଗି ଭୋଟ ପଡିବ, ଆସନ୍ତା ୬ ରେ ବାହାରିବ ଫଳାଫଳ ।
