କଟକ : ଓଡ଼ିଶାରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ (ଏଚଏସ୍ଆର୍ପି) ଆବେଦନ ସମୟସୀମାକୁ ରାଜ୍ୟ ପରିବହନ ବିଭାଗ ପୁଣି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଅବଧି ଫେବ୍ରୁଆରି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ଗାଡି କିଣିଥିବା ମାଲିକମାନେ ସେମାନଙ୍କ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ । ୧, ୨, ୩, ୪ ରେ ଶେଷ ହେଉଥିବା ଗାଡିଗୁଡିକ ନଭେମ୍ବର ୩୦ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ । ୫, ୬, ୭ ଓ ୮ ଶେଷ ନମ୍ବର ଥିବା ଗାଡିଗୁଡିକ ପାଇଁ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ୯ ଓ ୦ ନମ୍ବରରେ ଶେଷ ହେଉଥିବା ଗାଡିଗୁଡିକ ପାଇଁ ଏହା ଫେବ୍ରୁଆରି ୨୮ ତାରିଖ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଛି ।
ପ୍ରେସ ବିବୃତିରେ ପରିବହନ ବିଭାଗର ଯୁଗ୍ମ କମିସନର ଦୀପ୍ତିରଂଜନ ପାତ୍ର(ଟେକ୍ନିକାଲ) କହିଛନ୍ତି କି, ଅକ୍ଟୋବର ୨୮ ତାରିଖ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ୫୯ ହଜାର ୫୪୪ ଗାଡି ମାଲିକ ସ୍ଲଟ୍ ନମ୍ବର ପ୍ଲେଟ ଲଗାଇବାକୁ ସ୍ଲଟ୍ ବୁକିଂ କରିଛନ୍ତି । ସେଥିରୁ ୧୧ ଲକ୍ଷ ୭୩ ହଜାର ୪୫୯ ଗାଡିରେ ନମ୍ବର ପ୍ଲେଟ୍ ଲଗାଯାଇଛି । ଗାଡି ମାଲିକମାନେ ବର୍ତ୍ତମାନ ସେମାନଙ୍କ ସୁବିଧା ପାଇଁ ରାଜ୍ୟର ନିକଟସ୍ଥ ମୋ ସେବା କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ବୁକିଂ ସୁବିଧା କେବଳ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ଥିବାବେଳେ, ଏବେ ଏହାକୁ ଅଧିକ ସହଜ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
