ଭୁବନେଶ୍ବର : ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଲାଗି ବର୍ଦ୍ଧିତ ମୂଲ୍ୟ ଚଳିତ ମାସ ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ସବୁ ଜିଲାପାଳଙ୍କୁ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ(ପିଏମ୍-ପୋଷଣ) ରଘୁରାମ ଆର ଆୟାର ପତ୍ର ଲେଖି ଦର୍ଶାଇଛନ୍ତି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି ମୁଣ୍ଡପିଛା ୪୮ ପଇସା ବଢାଯାଇ ଏବେ ମୁଣ୍ଡପିଛା ଏହାକୁ ୫ ଟଙ୍କା ୯୦ ପଇସା କରାଯାଇଛି । ସେହିପରି ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ୬୮ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବାବଦକୁ ୮.୧୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ, ଏହାକୁ ୮ ଟଙ୍କା ୮୨ ପଇସା ଲେଖାଏଁ ଦେବାକୁ ଶ୍ରୀ ଆୟାର ପତ୍ରରେ ଦର୍ଶାଇଛନ୍ତି । ଏହି ମୂଲ୍ୟ ବୃଦ୍ଧି ପରେ ପରିଚାଳନା କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଯେଭଳି ପୋଷଣଯୁକ୍ତ ଖାଦ୍ୟ ଦେବେ ସେଥିପ୍ରତି ଗୁରୁତ୍ବ ଦେବାକୁ ସେ ଉଲ୍ଲେଖ କରିଛନ୍ତି ।
