ବାହାନଗା : ଠିଆ ହେବା ସ୍ଥିତିରେ ନାହିଁ ବିଦ୍ୟୁତ୍ ଖୁଣ୍ଟ । ନଇଁ ପଡ଼ିଛି ରାସ୍ତା ଆଡ଼କୁ । ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ୍ ତାର ଝୁଲିରହିଛି । କେବଳ ସେତିକି ନୁହେଁ, ନୂଆ ଖୁଣ୍ଟ ପୋତା ନଯାଇ ବାଉଁଶରେ ବିଦ୍ୟୁତ୍ ସରବରାହ ହେଉଛି । ଏପରି ବିପଦ୍ଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ଗ୍ରାମ ୫ ନମ୍ବର ୱାର୍ଡ ଉତ୍ତର ସାହିରେ ।
ଗ୍ରାମବାସୀଙ୍କ ସୂଚନା ଅନୁସାରେ; ଖରାସାହାପୁର ଗ୍ରାମର ୫ ନମ୍ବର ୱାର୍ଡ ଉତ୍ତର ସାହି ଦେଇ ବିଦ୍ୟୁତ୍ ସରବରାହ ହେଉଛି । ତେବେ ଏଠାରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ବେଶ୍ ପୁରୁଣା । ଫଳରେ ଅନେକ ଖୁଣ୍ଟର ତଳ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏମିତିକି ସେଗୁଡ଼ିକ ମଧ୍ୟରୁ କିଛି ଦୁର୍ବଳ ଖୁଣ୍ଟ ଅଧା ନଇଁ ପଡ଼ିଲାଣି । ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ସଂପୂର୍ଣ୍ଣ ଭାବେ ରାସ୍ତା ଉପରକୁ ଢଳି ପଡ଼ିଛି । ତଥାପି ଉକ୍ତ ଖୁଣ୍ଟ ଦେଇ ବିଦ୍ୟୁତ୍ ସରବରାହ ହେଉଛି । କେବଳ ସେତିକି ନୁହେଁ, ଖୁଣ୍ଟ ମରାମତି କିମ୍ବା ନୂଆ ଖୁଣ୍ଟ ପୋତିବା ବଦଳରେ ବାଉଁଶ ଖୁଣ୍ଟ ପୋତି ସେଥିରେ ବିଦ୍ୟୁତ୍ ସରବରାହ କରାଯାଉଥିବାରୁ ଯେ କୌଣସି ସମୟରେ ଅଘଟଣର ଆଶଙ୍କା ରହିଛି ।
ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଥିଲେ ମଧ୍ୟ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ସାହିବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କିଛି ସୁଫଳ ମିଳୁନି । ତେବେ ଆଗାମୀ ୭ ଦିନ ମଧ୍ୟରେ ଯଦି ପୁରୁଣା ବିଦ୍ୟୁତ୍ ଖୁଣ୍ଟ ମରାମତି କିମ୍ବା ବଦଳା ନଯାଏ ଏବଂ ବାଉଁଶ ବିଦ୍ୟୁତ୍ ଖୁଣ୍ଟ ହଟାଇ ନୂଆ ବିଦ୍ୟୁତ୍ ଖୁଣ୍ଟ ଲଗାନଯାଏ, ତେବେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଏନେଇ ବିଭାଗୀୟ ଏସ୍ଡିଓ ଶୁଭଦୀପ୍ତ ମିଶ୍ରଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ଅବଗତ ନଥିବା କହିଛନ୍ତି ।
