ଜଳ ଦେଉଛି ଯନ୍ତ୍ରଣା, ୬ ମାସ ହେଲା ଅଚଳ ହୋଇପଡିଛି ପାନୀୟ ଜଳ ପ୍ରକଳ୍ପ

ଦେବଗଡ : ଜଳ ଦେଉଛି ଯନ୍ତ୍ରଣା । ୬ ମାସ ହେଲା ଅଚଳ ହୋଇପଡିଛି ପାନୀୟ ଜଳ ପ୍ରକଳ୍ପ । ଗାଁରେ ଥିବା ନଳକୂପରୁ ବାହାରୁଛି ଦୂଷିତ ପାଣି । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଦେବଗଡ ଜିଲ୍ଲା ପୁରୁଣାପାଣି ଗାଁର ଲୋକ । କୌଣସି ଉପାୟ ନଥିବାରୁ ନଳକୂପର ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।

ଘରେ ଘରେ ପହଂଚିବ ବିଶୁଦ୍ଧ ପାଣି । ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ବାସ୍ତବ ଚିତ୍ର କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ । ପ୍ରଶାସନର ଅବହେଳାରୁ ବିଶୁଦ୍ଧ ପାଣି ଟିକିଏ ପାଇଁ ହଟହଟା ହେଉଛନ୍ତି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଝରାକଣ୍ଢଳ ପଂଚାୟତର ପୁରୁଣାପାଣି ଗ୍ରାମବାସୀ ।

ଗାଁରେ ରହୁଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ମାତ୍ର ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳାରୁ ଆଜିକୁ ୬ ମାସ ହେଲା ଏହା ଅଚଳ ହୋଇପଡିଛି । ପାନୀୟ ଜଳ ପ୍ରକଳ୍ପର ମଟର ପୋଡି ଯାଇଥିବା ବେଳେ ପଂଚାୟତ ପକ୍ଷରୁ ବିଦ୍ୟୁତ ବିଲ ପୈଠ ହେଉନଥିବାରୁ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଛି । ଫଳରେ ପାନୀୟ ଜଳକୁ ନେଇ ଲୋକଙ୍କ ଭିତରେ ତିବ୍ର ଅସନ୍ତୋଷ ଦେଖାଯାଇଛି ।

ପୁରୁଣାପାଣି ଗାଁରେ ରହିଛି ୫ ଟି ନଳକୂପ । ୩ ଟି ଅଚଳ ହୋଇପଡିଥିବା ବେଳେ ଆଉ ୨ଟି ନଳକୂପରୁ ବାହାରୁଛି ଗୋଳିଆ ପାଣି । କିଛି ସମୟ ରହିଗଲେ ପାଣିର ରଙ୍ଗ ହଳିଦିଆ ହୋଇଯିବା ସାଙ୍ଗକୁ ପାଣି ଉପରେ ଏକ ଆସ୍ତରଣ ବସିଯାଉଛି ।

ମାତ୍ର ଅନ୍ୟ କୌଣସି ଉପାୟ ନଥିବାରୁ ଏହି ଦୂଷିତ ପାଣିକୁ ଲୋକ ବ୍ୟବହାର କରୁଛନ୍ତି । ଗ୍ରାମବାସୀ ଏନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ବି ଆଜିପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରୁନି । ଅନ୍ୟପଟେ ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଅଣାଯାଇଥିବା କହିଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ ।

ଜଳଯୋଗାଣ ପ୍ରକଳ୍ପ ଅଚଳ ହେବା ଯୋଗୁଁ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ପୁରୁଣାପାଣି ଗ୍ରାମବାସୀ । ଅନ୍ୟପଟେ ନଳକୂପରୁ ବାହାରୁଛି ବିଷାକ୍ତ ପାଣି । ଅଭିଯୋଗ ହୋଇଛି କିନ୍ତୁ ପ୍ରଶାସନ ଶୁଣୁନି । ତେବେ ଦେଖିବାକୁ ବାକିରହିଲା ଗାଁକୁ କେବେ ଜଳଯୋଗାଣ ହୋଇପାରୁଛି ।

Leave a Reply

Your email address will not be published. Required fields are marked *