ଭୁବନେଶ୍ବର : ଚଳିତ ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ସ୍ବାଭାବିକରୁ ୪% ଅଧିକ ବର୍ଷା ହୋଇଛି । ତେଣୁ ଏଥର ଶୀତ କମ୍ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ବିଶ୍ଳେଷଣରୁ ଜଣାପଡିଛି, ଶୀତ ଋତୁରେ ସାରା ବିଶ୍ବରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଓଡ଼ିଶା ସମେତ ଦେଶର ପୂର୍ବ-ଉପକୂଳ ଅଞ୍ଚଳରେ ଆସନ୍ତା ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି । ନଭେମ୍ବରରେ ସାରା ରାଜ୍ୟରେ, ଡିସେମ୍ବରରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଜାନୁଆରୀ ଓ ଫେବୃଆରୀରେ ସମଗ୍ର ଉପକୂଳରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବା ଯୋଗୁଁ ଶୀତ କମ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ସେ କହିଛନ୍ତି, ଅକ୍ଟୋବରରେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଏବଂ ଏହାର ଉପରିସ୍ଥ ବାୟୁମଣ୍ଡଳ ସ୍ଥିତିି ଏନ୍ସୋରୁ ଜଣାପଡୁଛି ଗତ ତିନିବର୍ଷ ହେଲା ଚାଲୁ ରହିଥିବା ଲା-ନିନା ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରହିବ । ତା’ପରେ ସ୍ବାଭାବିକ ସ୍ଥିତିକୁ ଫେରିପାରେ । ଗତ ଜୁନରୁ ଭାରତ ମହାସାଗର ଆଇଓଡି ବିଯୁକ୍ତାତ୍ମକ ରହିଛି । ଯାହାକି ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ବର୍ତ୍ତମାନ ମେଡେନ ଜୁଲିଅନ ଓସ୍କିଲାସନ(ଏମଜେଓ) ପଶ୍ଚିମ ପ୍ରଶାନ୍ତ ମହାସାଗରରେ ରହିଛି । ଏହା ପୂର୍ବ ଆଡକୁ ମୁହାଁଇ ୧୫ ଦିନ ଭିତରେ ବଳ ଗୋଟାଇବାର ଆକଳନ କରାଯାଉଛି ।
ଏମଜେଓ ଓ ଆଇଓଡିର ଆକଳନ କହୁଛି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିବ । ଦକ୍ଷିଣ ଚୀନ ସାଗରରେ ନଭେମ୍ବର ବେଳକୁ ଝଡ଼ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି । ଏହା ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ପ୍ରବେଶ କରି ଘନିଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ଅନ୍ୟପଟେ ମଡେଲ ଆକଳନରୁ ଜଣାପଡିଛି, ଯଦି ନଭେମ୍ବରରେ ଲଘୁଚାପ ସୃଷ୍ଟି ହୁଏ ତେବେ ଏହା ଆଣ୍ଡାମାନ ହୋଇ ବାଂଲାଦେଶର ଦକ୍ଷିଣ ଉପକୂଳକୁ ଯାଇପାରେ । ଏହା ଓଡ଼ିଶା ମୁହାଁଇବା ସମ୍ଭାବନା କମ ।
ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ସିତ୍ରଙ୍ଗ ବାଂଲାଦେଶ ଉପକୂଳ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଜି ସୁବର୍ଣ୍ଣପୁର, ଭବାନୀପାଟଣା ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
