ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତର ଗୁଣ୍ଡୁରୀଲୋଚାରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର । ଗାଁରେ ଥିବା ଗୁଣ୍ଡୁରିଲୋଚା ଅଙ୍ଗନଓ୍ବାଡି କେନ୍ଦ୍ରରେ ଦୁଇଟି ଗାଁର ଛାତ୍ରଛାତ୍ରୀ ପାଠ ପଢିଥାନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ୩୦ ବର୍ଷ ହେବ ଜଣେ ଶିକ୍ଷୟିତ୍ରୀଙ୍କ ଭଡା ଘରେ ଚାଲିଥିଲା । କିନ୍ତୁ କିଛି ଦିନ ହେବ ଶିକ୍ଷୟିତ୍ରୀ ଘର ବଦଳ କରିଦେଇଛନ୍ତି । ଫଳରେ ୪ ମାସ ହେବ ଗଛ ମୂଳେ ପାଠ ପଢୁଛନ୍ତି କୁନି କୁନି ପିଲା ।
ଅନ୍ୟପଟେ ୩୦ ବର୍ଷ ପରେ ଗାଁରେ ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇଛି । ମାତ୍ର ୬ ମାସ ହେବ ଏହା ବି ବନ୍ଦ ପଡିଛି । ଅଙ୍ଗନଓ୍ବାଡି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଶିକ୍ଷୟିତ୍ରୀ ବିଡିଓ, ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ପ୍ରଶାସନର ଖାମଖିଆଲି ମନୋବୃତ୍ତି ଯୋଗୁ ଖୋଲୁନି କେନ୍ଦ୍ର । ଫଳରେ ଅନେକ ପିଲା ଅଙ୍ଗନଓ୍ବାଡି ନଆସି ପ୍ରାକ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଆଉ ଯେଉଁମାନେ ଆସୁଛନ୍ତି ଗଛମୂଳେ ଚାଲିଛି ଶିକ୍ଷାଦାନ । ଅଭିଭାବକମାନେ ଏଥିପାଇଁ ପିଲାଙ୍କୁ ଛାଡିବାକୁ ମଙ୍ଗୁ ନାହାନ୍ତି । କାରଣ ଗଛ ମୂଳ ପିଲାଙ୍କ ପାଇଁ ନାନା ବିପଦକୁ ଡାକିଆଣିବ । ମେଘପବନ ଆସିଲେ ଛୋଟ ପିଲା କେଉଁ ଆଡେ ଯିବେ । ଏଥିପାଇଁ ସରକାରଙ୍କୁ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
