କର୍ମଚାରୀ ଭବିଷ୍ୟନିଧି ସଂଗଠନ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ରାୟଗଡା ଠାରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ର କାର୍ଯ୍ୟକ୍ରମ

ରାୟଗଡ଼ା : ଗତ ଗାନ୍ଧୀ ଜୟନ୍ତୀ ଅବସରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଜିଲ୍ଲା କାର୍ଯ୍ୟାଳୟ ରାୟଗଡା ତରଫରୁ ସ୍ଵତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ର ଶୁଭାରମ୍ଭ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା କାର୍ଯ୍ୟାଳୟ ରାୟଗଡା ପରିସରକୁ ସଫା ସୁତୁରା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାଳୟକୁ ରଙ୍ଗ ବୋଳାଯିବା ସହ ପ୍ରବେଶ ପଥରେ ସୁସଜ୍ଜିତ ମାଟି କୁଣ୍ଡରେ ଫୁଲଗଛଗୁଡିକ ଲଗାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାଳୟରେ ବହୁ ଦିନ ଧରି ଅଦରକାରୀ ପଡିରହିଥିବା ଦସ୍ତାବିଜଗୁଡିକୁ ବାହାର କରି ଜିଲ୍ଲା କାର୍ଯ୍ୟାଳୟକୁ ସୁସଜ୍ଜିତ କରିବାର ବ୍ୟବସ୍ଥା ହୋଇଥିଲା । ଆଗାମୀ ସମୟରେ ଆଗନ୍ତୁକମାନଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନିଆଯାଇଥିବା ବେଳେ ଆକର୍ଷଣୀୟ ସୂଚନା ଫଳକ ଲଗାଯିବା ପାଇଁ ଯୋଜନା ଚାଲିଛି ।

ସହାୟକ ଭବିଷ୍ୟନିଧି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ରଥଙ୍କ ମାର୍ଗଦର୍ଶନ କ୍ରମେ ଏଠାକାର ପ୍ରବର୍ତ୍ତନ ଅଧିକାରୀ ଶ୍ରୀ ଧିରେନ୍ଦ୍ର କୁମାର ଦଳାଇ ଉକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମର ତତ୍ତ୍ଵାବଧାନ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଅକ୍ଟୋବର ୩୧ ତାରିଖରେ ସମାପନ ହେବ । ଉକ୍ତ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଭବିଷ୍ୟନିଧି ଜିଲ୍ଲା କାର୍ଯ୍ୟାଳୟ ରାୟଗଡ଼ା ଲୋକଙ୍କ ଆହୁରି ନିକଟତର ହେବ ବୋଲି ଆଶା କରାଯାଉଛି ।

ଆଗାମୀ ଦିନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଲୋକଙ୍କ ନିକଟତର ହୋଇ ପାରଦର୍ଶିତା ସହ ଉତ୍କୃଷ୍ଟ ସେବା ଯୋଗାଇ ଦେବେ ବୋଲି କାର୍ଯ୍ୟାଳୟର ଅନୁଭାଗ ପର୍ଯ୍ୟବେକ୍ଷକ ଶ୍ରୀ ମନୋରଞ୍ଜନ ସାହୁ ଆଶା ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *