ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ଷୁଦ୍ର ଜଳସେଚନ ବିଭାଜନରେ କର୍ମଚାରୀ ମରୁଡି, କାର୍ଯ୍ୟାଳୟରେ ଖାଲି ପଡିଛି ଅଧାରୁ ଅଧିକ ପଦବୀ

ବଲାଙ୍ଗିର : ବଲାଙ୍ଗିର ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ଷୁଦ୍ର ଜଳସେଚନ ବିଭାଜନରେ କର୍ମଚାରୀ ମରୁଡି ଦେଖା ଦେଇଛି । କାର୍ଯ୍ୟାଳୟରେ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ଫଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେଉଛି । ସେହିପରି ବିଭାଗରେ ଉପ ନିର୍ବାହୀ ଯନ୍ତ୍ରୀ(୧ ପଦବୀ) ପଦ ଖାଲି ରହିଛି । ୧୦ କନିଷ୍ଠ ଯନ୍ତ୍ରୀ ଆବଶ୍ୟକ ଥିବାବେଳେ ମାତ୍ର ୩ ଜଣ ଅଛନ୍ତି । ପୂର୍ବରୁ ଥିବା କିରାଣୀ ବଦଳି ହୋଇ ଚାଲି ଯାଇଥିବା ବେଳେ, ନୂଆ କିରଣୀ ଦିଆଯାଇ ନାହିଁ । ଜଣେ ବରିଷ୍ଠ କିରାଣୀଙ୍କ ସହ ୩ କନିଷ୍ଠ କିରାଣୀ ଓ ୧୨ ପିଅନ ପଦବୀ ଖାଲି ପଡିଥିବା ଜଣାପଡିଛି । ସେହିପରି ୪ ବଦଳରେ ଜଣେ ମାତ୍ର ଡ୍ରାଇଭର ରହିଛନ୍ତି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗରେ ଅଧାରୁ ଅଧିକ ସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଖାଲି ଥିବାରୁ ବିଭାଗର ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେଉଛି । ବିଭିନ୍ନ ପ୍ରକଳ୍ପ ଅଧପନ୍ତରିଆ ଭାବେ ପଡି ରହିଛି । ମରାମତି କାମରେ ବ୍ୟାଘାତ ସୃଷ୍ଟି ହେଉଛି । ବିଭାଗୀୟ ସରକାରୀ କ୍ୱାଟର୍ ଗୁଡିକର ମରାମତି କାମ ମଧ୍ୟ ହୋଇ ପାରୁନଥିବା ଜଣା ପଡିଛି । ଜିଲାର ବିଭିନ୍ନ ବ୍ଲକରେ ଚାଲି ଥିବା ୨୯ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି ।

ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଜନ(ଏମ୍ଆଇ) କାର୍ଯ୍ୟାଳୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଯାଏଁ ବହୁ ପଦବୀ ଖାଲି ପଡିଛି । ପୂର୍ବରୁ ପଦୋନ୍ନତି ପାଇ ଇଂ.ରବି ରଥ ଏଠାରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ । କିନ୍ତୁ ବିଭିନ୍ନ ପ୍ରକଳ୍ପ କାମ ତଦାରଖ ବେଳେ ସେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହେଉନଥିବା ଓ କାମ ମନ୍ଥର ଗତିରେ ଚାଲିଥିବାରୁ ବିଭାଗୀୟ ବାବୁମାନଙ୍କୁ ତାଗିଦ କରୁଥିଲେ । କିନ୍ତୁ ସେ ଛୁଟି ନେଇ ରହିଲେ । ବାରମ୍ବାର ଛୁଟି ବଢାଇ ଚାଲିଲେ । ଏପଟେ ବିଭାଗୀୟ ଉନ୍ନୟନ କାମ ମଧ୍ୟ ଠପ୍ ହୋଇଗଲା । ଶେଷରେ କଳାହାଣ୍ଡି ନିର୍ବାହୀ ଯନ୍ତ୍ରୀଙ୍କୁ ବଲାଙ୍ଗିରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ କେତେବେଳେ ବଲାଙ୍ଗିର ତ କେତେବେଳେ କଳାହାଣ୍ଡି ଦାୟିତ୍ୱ ବୁଝୁଛନ୍ତି । ଠିକ୍ ଭାବେ କାମ ଆଗେଇ ପାରୁନାହିଁ ।

Leave a Reply

Your email address will not be published. Required fields are marked *