ଲାଞ୍ଚ ନଦେଲେ ମିଳୁନି ମମତା କାର୍ଡ

ଚାନ୍ଦିପୁଟ : ଲାଞ୍ଚ ନଦେଲେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ କର୍ମୀ ଗର୍ଭବତୀ ମହିଳାଙ୍କୁ ମମତା କାର୍ଡ ଦେଉନଥିବା ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲାର ଆର. ଉଦୟଗିରି ବ୍ଳକ ମଙ୍ଗରାଜପୁର ପଞ୍ଚାୟତର ଜାମଢୋଲ ଗ୍ରାମରୁ । ଏପରିକି ଲାଞ୍ଚ ଦେଇନଥିବା କିଛି ମହିଳାଙ୍କ ମମତା କାର୍ଡକୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି ।

ପାହାଡ ପର୍ବତ ଘେରା ଗଜପତି ଜିଲା ଆର ଉଦୟଗିରି ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ଦୁର୍ଗମ ଇଲାକାରେ ରହିଛି ଜାମଢୋଲ ଗାଁ । ଗାଁ ମଧ୍ୟରେ ରହିଛି ସ୍ବାସ୍ଥ୍ୟ ଉପକେନ୍ଦ୍ର । ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ମଙ୍ଗରାଜପୁର ପଞ୍ଚାୟତ ସମେତ ଅନଗାଁ ଓ ସୁବଲଡା ପଞ୍ଚାୟତର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଯୁକ୍ତି ପାଇଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ । ସେ ଗତ ୨୦ ବର୍ଷ ହେଲା ଏଠାରେ ନିଯୁକ୍ତି ପାଇଥିଲେ ମଧ୍ୟ ନିୟମିତ ଆସୁନଥିବା ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରରେ ମାସ ମାସ ଧରି ତାଲା ଝୁଲୁଛି । ଗର୍ଭବତୀ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବା ତ ଦୂୂରର କଥା ମମତା କାର୍ଡ ପଞ୍ଜିକରଣ କରିବା ପାଇଁ ଲାଞ୍ଚ ମାଗୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏପରିକି ଅନେକ ହିତାଧିକାରୀ ଟଙ୍କା ନଦେବାରୁ ମମତା କାର୍ଡକୁ ବନ୍ଧକ ରଖିଥିବା ଗ୍ରାମର ମହିଳା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଜାମଢୋଲ ଠାରେ ସ୍ବାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ବାସଗୃହ, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ବିଦ୍ୟୁତିକରଣ ବ୍ୟବସ୍ଥା କରାଯାଇଛି । ହେଲେ ନେଟୱର୍କ ଆସୁନଥିବାରୁ ଡାଟା ଅପଡେଟ ହୋଇପାରୁନଥିବା ଦର୍ଶାଇ ଗାଁ ଠାରୁ ୬୦ କିମି ଦୂର ପାରଳାଖେମୁଣ୍ଡିରେ କର୍ମୀ ଜଣକ ରହୁଛନ୍ତି ।

ଗତ କିଛି ମାସ ତଳେ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଅଟୋରେ ରାମଗିରି ମେଡ଼ିକାଲ ନେବାବେଳେ ରାସ୍ତାରେ ପ୍ରସବ କରିଥିଲେ । ଏହା ସହ ଯେକୌଣସି କାମ ପଡିଲେ ହିତାଧିକାରୀଙ୍କୁ ପାରଳାଖେମୁଣ୍ଡି ଆସିବାକୁ ସ୍ବାସ୍ଥ୍ୟକର୍ମୀ କହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ୱର୍ଡସଭ୍ୟ ରାଜେଶ୍ୱର ଜାନି । ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ବହୁବାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା କହିଛନ୍ତି ମଙ୍ଗରାଜପୁର ସରପଞ୍ଚ ଶ୍ରୀଧର ପ୍ରଧାନ ।

ଏ ସମ୍ପର୍କରେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ସୁନିତା ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ସ୍ବାସ୍ଥ୍ୟ ଉପକେନ୍ଦ୍ରଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ସେଠାରେ ସିଏ ରହୁନଥିବା ଫୋନରେ କହିଛନ୍ତି । ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ନିବେଦିତା ପଣ୍ଡାଙ୍କୁ ପଚାରିବାରେ ଉକ୍ତ ମହିଳା ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟରେ ଅବହେଳା କରିଆସୁଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିବାରୁ ସେ ନିଜେ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବୋଲି କହିଛନ୍ତି । ଏ ବେକାର ଅଭିଯୋଗର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ର ।

Leave a Reply

Your email address will not be published. Required fields are marked *