ଭୁବନେଶ୍ବର : ରାଜ୍ୟରେ ୧୦ ବର୍ଷରେ ୪୫ ହଜାର ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏଥିରୁ ୭୦% ଅର୍ଥାତ୍ ପ୍ରାୟ ୩୧,୫୦୦ (୭୦%)ଜଣ ଯୁବ ବର୍ଗର । ଏମାନେ ସେମାନଙ୍କ ପରିବାରର ରୋଜଗାରକ୍ଷମ ସଦସ୍ୟ ଥିଲେ । ରାଜ୍ୟରେ କୋଭିଡ୍ ଆଦି କାରଣରୁ ମୃତ୍ୟୁକୁ ନେଇ ହଇଚଇ ହେଉଥିବା ବେଳେ ସଡ଼କ ଦୁର୍ଘଟଣା ଜନିତ ଏହି ପରିସଂଖ୍ୟାନ ହୃଦୟ ଥରାଇ ଦେବାଭଳି । ଆହୁରି ବଡ଼ କଥା ହେଉଛି, କେବଳ ୨୦୨୧ ମସିହାରେ ରାସ୍ତା ମରାମତି ଓ ନିର୍ମାଣ ସ୍ଥାନରେ ୫୦୦ ଲୋକ ଜୀବନ ହରାଇଛନ୍ତି ।
ଏସବୁ ପରିସଂଖ୍ୟାନ କୌଣସି ଘରୋଇ ସଂସ୍ଥାର ନୁହେଁ । ବରଂ ନିକଟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ପରିବହନ ବିଭାଗ ଓ ପୁଲିସ ସରକାରଙ୍କୁ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଉଦ୍ବେଗର ବିଷୟ ହେଉଛି, ସବୁ ବର୍ଷ ସମସ୍ତେ ଦୁର୍ଘଟଣାକୁ ନେଇ ଏମିତି ଚିନ୍ତାପ୍ରକଟ କରୁଛନ୍ତି । ୟେସା କରିଦେବୁ; ତେସା କରିଦିଆଯିବ ଏମିତି ସବୁ ଆଲୋଚନା ହେଉଛି, ଯାହାର ପୁନରାବୃତ୍ତି ଏ ବର୍ଷ ବି ଘଟିଲା । ମାତ୍ର ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ଦୁର୍ଘଟଣାର ଅନେକ କାରଣ ମଧ୍ୟରୁ ପ୍ରମୁଖ କାରଣଗୁଡ଼ିକୁ ନେଇ ନିକଟ ଅତୀତରେ ସେଭଳି କୌଣସି ବିଶେଷ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିନାହାନ୍ତି । ଦ୍ରୁତ ଗାଡ଼ିଚାଳନା ପୂରା ବନ୍ଦ ହୋଇପାରିନାହିଁ, ବା ସେ ଦିଗରେ ସରକାରଙ୍କ କଠୋରତା ଦେଖିବାକୁ ମିଳିନାହିଁ । ରାଜ୍ୟ ସରକାର ନିଶା କାରବାରକୁ ପୂରା ନିଷିଦ୍ଧ କରିନାହାନ୍ତି । ମାସ ମାସ ଧରି ଜାତୀୟ ରାଜପଥରେ ଭଙ୍ଗା ଗଢ଼ା ଚାଲିଥିବା ବେଳେ ଏହାକୁ କିଭଳି ସମୟସୀମା ମଧ୍ୟରେ ଶେଷ କରାଯିବ, ସେ ସମୟରେ ବିକଳ୍ପ ରାସ୍ତା ପାଇଁ କି ନିର୍ଦିଷ୍ଟ ପଦକ୍ଷେପ ନିଆଯିବ ସେସବୁ ସଂପର୍କରେ ପରିବହନ ବିଭାଗ କିମ୍ବା ପୁଲିସ କେହି କିଛି କହିନାହାନ୍ତି । ରାସ୍ତା କଡ଼ରେ ଅଧିକକୁ ଅଧିକ ଟ୍ରମା କେୟାର ଖୋଲିବା ଲାଗି ଉଦ୍ୟମ ହୋଇନାହିଁ ।
ସରକାରଙ୍କ ପରିସଂଖ୍ୟାନ କହୁଛି, ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ପୁଲିସ ଓ ପରିବହନ ବିଭାଗ କେବଳ ଜରିମାନା ଆଦାୟରେ ମାତିଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ କିନ୍ତୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି । ଏପରିକି ଗତ ବର୍ଷ ଜାନୁଆରିରୁ ଜୁନ୍ ତୁଳନାରେ ଚଳିତ ବର୍ଷ ଏହି ସମୟରେ ୧୧% ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । ଦୁର୍ଘଟଣା ଜନିତ ମୃତ୍ୟୁର କାରଣ ଖରାପ ରାସ୍ତା ଡିଜାଇନିଂ, ଖାଲଖମା ଭର୍ତ୍ତି ରାସ୍ତା, ରାସ୍ତାକଡ଼ରେ ଜବରଦଖଲ, ସଡ଼କ ସୁରକ୍ଷା ନେଇ ସଚେତନତା ଅଭାବ, ଜରୁରୀକାଳୀନ ଚିକିତ୍ସା ଅଭାବ, ସର୍ବୋପରି ନିଶା ସେବନ କରି ଗାଡ଼ିଚାଳନା । ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ ନିଜେ ପୁଲିସ ଡିଜି ସୁନିଲ ବଂଶଲ ଉଦ୍ବେଗର ସହ କହିଥିଲେ ଯେ ୨୦୨୧ ରେ ରାସ୍ତା ମରାମତି ଓ ନିର୍ମାଣ ସ୍ଥାନରେ ପ୍ରାୟ ୫୦୦ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହାର ପ୍ରମୁଖ କାରଣ ହେଉଛି ରାସ୍ତା ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ କି ରାସ୍ତା ନିର୍ମାଣକାରୀ ସଂସ୍ଥା ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେଇନାହାନ୍ତି । ତେଣୁ ଏଣିକି ଅଧିକାରୀ ଓ ସଂସ୍ଥାଙ୍କ ଅବହେଳାକୁ ଗ୍ରହଣ କରାଯିବନାହିଁ । ଯଦି ରାସ୍ତା ମରାମତି, ନିର୍ମାଣ ହେଉଥିବା ସ୍ଥାନରେ କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ହୁଏ ତେବେ ମୋଟର ଯାନ ଆଇନ ଅନୁସାରେ ଇଞ୍ଜିନିୟର, ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ନିର୍ଦିଷ୍ଟ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କିଏ ପଦକ୍ଷେପ ନେବେ, ସେ ସଂକ୍ରାନ୍ତରେ ନିର୍ଦେଶନାମା ଜାରି ହୋଇନାହିଁ । ଏହାସହ ପୁଲିସ ଡିଜି ଏକଥା ବି କହିଥିଲେ ଯେ, ସଡ଼କ ଦୁର୍ଘଟଣା କ୍ଷେତ୍ରରେ ପୁଲିସ ପ୍ରଥମେ ଆହତଙ୍କ ପାଖରେ ପହଞ୍ଚିଥାଏ । ତେଣୁ ପୁଲିସକୁ ନିୟମିତ ପ୍ରଶିକ୍ଷଣ, ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଉପକରଣ ଯୋଗାଇବା ଦରକାର । ଏହା ମିଳିଲେ ହିଁ ଆମେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ପକ୍ଷରୁ ନିୟମିତ ଜାରି ହେଉଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କାମ କରିପାରିବୁ ।
ବୈଠକରୁ ମିଳିଥିବା ତଥ୍ୟ ଆହୁରି କହୁଛି ଯେ, ବହୁ ଅଣପ୍ରାପ୍ତ ବୟସ୍କ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଛନ୍ତି । ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏକଥା ଏଥର କେବଳ ନୁହେଁ, ସବୁ ବୈଠକରେ ଚର୍ଚ୍ଚା ହେଉଛି । ଅନେକ ଥର ସରକାର ନିର୍ଦେଶ ଦେଇଛନ୍ତି-ଧରପଗଡ କର । ହେଲେ ଅନୁପାଳନ ହେଉନାହିଁ । ଆଦୌ ନିର୍ଦେଶନାମା ମାନୁନଥିବା ଅଧିକାରୀଙ୍କ ବିରୋଧରେ ବି କୌଣସି ଦଣ୍ଡବିଧାନ ହୋଇନାହିଁ । ସ୍ପଷ୍ଟ ଭାବେ କହିଲେ; ନିୟମ ଉଲ୍ଲଂଘନକାରୀ, ବେପରୁଆ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବାକୁ ନିୟମ ହୋଇଥିଲେ ବି ତାହା କଡ଼ାକଡ଼ି ଲାଗୁ ହେଉନି ।
ଏଠାରେ ପ୍ରକାଶଥାଉକି, ଚଳିତବର୍ଷ ଜାନୁଆରିରୁ ଜୁନ୍ ମଧ୍ୟରେ ୫,୨୧,୪୪୯ଜଣ ଟ୍ରାଫିକ ଉଲ୍ଲଂଘନକାରୀ ପୁଲିସ ଦ୍ବାରା ଧରାପଡ଼ିଥିବାବେଳେ ଏଥିରୁ ମାତ୍ର ୪.୪୬% ଅର୍ଥାତ୍ ୨୩,୨୯୪ ଜଣଙ୍କ ଲାଇସେନ୍ସ ବାତିଲ୍ ପାଇଁ ଆର୍ଟିଓକୁ ପଠାଯାଇଛି । ସେହିପରି ଏହି ସମୟରେ ସଡ଼କ ସୁରକ୍ଷା ଉଲ୍ଲଂଘନ ନେଇ ଆର୍ଟିଓଗୁଡ଼ିକ ୧,୨୯,୭୯୪ଟି ଇ-ଚାଲାଣ କରିଥିବାବେଳେ ଏଥିରୁ ମାତ୍ର ୧୯.୨% ଅର୍ଥାତ୍ ୨୪,୬୯୨ଟି ଲାଇସେନ୍ସ ବାତିଲ୍ କରାଯାଇଛି । ବହୁ ଲାଇସେନ୍ସ ତିନି ମାସ ପାଇଁ ବାତିଲ୍ ହେବା ପରେ ବି ଉକ୍ତ ଲାଇସେନ୍ସଧାରୀ ଏହି ସମୟରେ ଗାଡ଼ି ଚଳାଉଛନ୍ତି ।
ଜଣେ ଅଧିକାରୀ କହିଛନ୍ତି, ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେଉଛି ସେଗୁଡ଼ିକ ପୁଲିସ ଓ ଆର୍ଟିଓର ଇ-ଚାଲାଣ ସହ ସଂଯୋଗ କରିବା ତଥା ପୁଲିସକୁ ଦେବାକୁ ସ୍ଥିର ହୋଇଛି । ସେହିପରି ଶୀତ ଋତୁରେ ରାତିରେ ଘନ କୁହୁଡ଼ି ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିବାରୁ ଏହାର ପ୍ରତିକାର ପାଇଁ ବ୍ୟାକଲାଇଟ୍ ଓ ରିଫ୍ଲେକେଟିଭ୍ ଟେପ୍ ଲଗାଉଥିବା ଗାଡ଼ି ମାଲିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି । ଏହା ଚଳିତ ମାସରୁ କଡ଼ାକଡ଼ି ଲାଗୁ ହେବ । ରାସ୍ତା ଉପରେ ବସ୍, ଟ୍ରକ୍ ଭଳି ବଡ଼ ଗାଡ଼ି ପାର୍କିଂ ନକରିବାକୁ ବସ୍ ଓ ଟ୍ରକ୍ ମାଲିକ ସଂଘକୁ କୁହାଯାଇଛି ।
