ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରିରେ ଦଲାଲି, ୬ ଅଟକ

ପୁରୀ : ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ବିକ୍ରିରେ ବି ଚାଲିଛି କମିସନ ବେପାର । ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ଆଜି ପୁଲିସର ନିଦ ଭାଙ୍ଗିଛି । ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ ବିକ୍ରି କରୁଥିବା ୬ ଜଣ ଦଲାଲଙ୍କୁ ପୁଲିସ ଧରିଛି । ଏ ସମ୍ପର୍କରେ ସିଂହଦ୍ବାର ଥାନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି । ଅଟକ ଦଲାଲ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତପ୍ରାପ୍ତ କି ନୁହେଁ, ତାହାର ସ୍ପଷ୍ଟୀକରଣ ମାଗିଛି ।

ଆନନ୍ଦବଜାରକୁ ଛାଡ଼ିଦେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ବେଳେ, ଶ୍ରୀମନ୍ଦିର ବାହାରେ ଏଭଳି ବେଆଇନ ଭାବେ ଅବଢ଼ା ବିକ୍ରିକୁ ନେଇ ପ୍ରଶ୍ନ ଉଠିଛି । ସୁଆର ସେବାୟତଙ୍କ ବ୍ୟତୀତ ଶ୍ରୀମନ୍ଦିର ବାହାରେ କେଉଁ ଅଣସେବାୟତମାନେ ଏଭଳି ଅବଢ଼ା ବିକ୍ରି କରୁଛନ୍ତି, ସେମାନଙ୍କୁ କିପରି ଚିହ୍ନଟ କରାଯିବ ବୋଲି ପ୍ରଶ୍ନ ଉଠିଥିଲା । ତେଣୁ ପୁଲିସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ଏକ ଚିଠି ମାଧ୍ୟମରେ କୁହାଯାଇଛି ଯେ ଆନନ୍ଦ ବଜାର ମଧ୍ୟରେ କେଉଁ ସୁଆର ସେବାୟତ ଓ ସେମାନଙ୍କ ପାଖରେ କେଉଁ ଅଣସେବାୟତମାନେ କାମ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରାଯାଉ । ସୁତରାଂ ଭବିଷ୍ୟତରେ ଆନନ୍ଦ ବଜାରରେ ବିନା ପରିଚୟପତ୍ରଧାରୀ ଅଣସେବାୟତମାନଙ୍କର ପ୍ରବେଶ ରହିବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା କହିଛନ୍ତି ।

ସେ କହିଛନ୍ତି ଯେ ଶ୍ରୀମନ୍ଦିର ବାହାରେ ଚଢ଼ା ଦରରେ କମିସନ ରଖି ଅବଢ଼ା ବିକ୍ରି ହେଉଥିବା ନେଇ ବିଭିନ୍ନ ସମୟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗକୁ ଗୁରୁତ୍ବ ଦେଇ ଆଜି ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ ଉତ୍ତରଦ୍ବାର ନିକଟରୁ ୬ ଜଣ ଦଲାଲଙ୍କୁ ଧରିଛନ୍ତି । ପୁଲିସର ପଚରାଉଚରା ବେଳେ ଅଟକ ୬ ଜଣ ଦଲାଲ କିଛି ନିର୍ଦ୍ଦିଷ୍ଟ ସୁଆରଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ଦ୍ବାର ନିକଟରେ ମହାପ୍ରସାଦ ଚଢ଼ା ଦରରେ ବିକ୍ରି କରୁଥିବା ସ୍ବୀକାର କରିଛନ୍ତି । ପୁଲିସ ବି ସେହି ସୁଆରଙ୍କୁ ଡାକି ପଚରାଉଚରା କରିଛି । ସେମାନେ ମଧ୍ୟ ଏହି ଦଲାଲମାନଙ୍କୁ ନିୟୋଜିତ କରିଥିବା ସ୍ବୀକାର କରିଥିଲେ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି । ତେବେ ଆଗାମୀ ଦିନରେ ଯଦି କୌଣସି ଦଲାଲ ଏଭଳି ଚଢ଼ା ଦରରେ ଅବଢ଼ା ବିକ୍ରି କରନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *