ଭଦ୍ରକ : ଚାପ କିମ୍ବା ବୁଝାମଣା ଉଦ୍ୟମ, କିଛି କାମ ଦେଲାନି । ନିଜ ନିଷ୍ପତ୍ତିରେ ଅଟଳ ରହିଲେ ପୂର୍ବତନ ବିଧାୟକ ତଥା ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସ । ତେବେ କିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରୁ ବା ନକରୁ, ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସାରା ରାଜ୍ୟର ନଜର ରହିଥିଲା । ସକାଳୁ ସକାଳୁ ଲୋକଙ୍କ ଭିତରେ ଲାଗି ରହିଥିଲା ଉତ୍ସୁକତା ଓ ଉତ୍କଣ୍ଠା । ସମୟ ଯେତେ ଗଡ଼ୁଥାଏ ଲୋକଙ୍କର ଉତ୍କଣ୍ଠା ବି ଆହୁରି ବଢ଼ି ଚାଲିଥିଲା । ମଝିରେ ମଝିରେ ଉଡ଼ା ଖବର ବି ଆସୁଥାଏ । ହେଲେ ସବୁ କଳ୍ପନା ଜଳ୍ପନା, ଚର୍ଚ୍ଚାର ଅବସାନ ଘଟିଥିଲା ଅପରାହ୍ନ ୩ଟା ରେ । ରାଜେନ୍ଦ୍ର ଯେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି, ତାହା ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରା ଘୋଷିତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ଜଣାପଡ଼ିଥିଲା । ଫଳରେ ଧାମନଗର ଉପନିର୍ବାଚନ ରଣାଙ୍ଗନରେ ଏବେ ଚତୁର୍ମୁଖୀ ପ୍ରତିଦ୍ବନ୍ଦ୍ବିତା ସ୍ପଷ୍ଟ ହୋଇଯାଇଛି ।
ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଅନୁଯାୟୀ, ଧାମନଗର ଉପନିର୍ବାଚନରେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ଭାବେ ରାଜେନ୍ଦ୍ର ଦାସ, ପବିତ୍ର ମୋହନ ଦାସଙ୍କୁ ମିଶାଇ ମୋଟ୍ ୫ ଜଣ ରହିଛନ୍ତି । ବିଜେପି, ବିଜେଡି, କଂଗ୍ରେସ ତିନି ପ୍ରମୁଖ ଦଳର ଦଳୀୟ ଚିହ୍ନ ରହିଥିବା ବେଳେ ବିଜେଡିର ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନୌକା ଓ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚିହ୍ନ ମିଳିଥିବା ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ପ୍ରକାଶ କରିଛନ୍ତି । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଧାମନଗରରେ ନିର୍ବାଚନୀ ତାତି ବଢ଼ିବାରେ ଲାଗିଛି । ପ୍ରଚାର ପାଇଁ ତିନି ଦଳର ମାଳମାଳ ନେତା ଧାମନଗର ଆସି ଡେରା ପକାଇଲେଣି । ଆସନ୍ତାକାଲି ଠାରୁ ଷ୍ଟାର୍ ପ୍ରଚାରକଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ମନସ୍ଥ କରିଥିବା ରାଜେନ୍ଦ୍ରଙ୍କ ଷ୍ଟାର୍ ପ୍ରଚାରକ ତାଲିକା ଆଜି ଦିନତମାମ ରାଜନୈତିକ ମହଲ ଓ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା । ଅନ୍ୟ ପ୍ରମୁଖ ଦଳ ନିଜ ନିଜର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରି ସାରିଥିବାବେଳେ ଧାମନଗର ମାଟିର ସମସ୍ତ ଭାଇଭଉଣୀ, କୃଷକ ଭାଇ, ଗରିବ ଖଟିଖିଆ, ଗୁରୁଜନ, ମାଆ ମାଉସୀ, ବାପା ଭାଇ ଏବଂ ସର୍ବୋପରି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଜନସାଧାରଣ ତାଙ୍କର ଷ୍ଟାର୍ ପ୍ରଚାରକ ବୋଲି ଭାବପ୍ରବଣ ହୋଇ କହିଛନ୍ତି ରାଜେନ୍ଦ୍ର । ଗଣମାଧ୍ୟମ ଆଗରେ ନିଜର ଷ୍ଟାର୍ ପ୍ରଚାର ତାଲିକାକୁ ଦେଖାଇ ରାଜେନ୍ଦ୍ର ସମସ୍ତଙ୍କର ଆଶୀର୍ବାଦ କାମନା କରିବା ସହ ଆସନ୍ତାକାଲି ଠାରୁ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିବେ ବୋଲି ସେ କହିଛନ୍ତି ।
