ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ କି କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା । ତେବେ ଏହା ପୂର୍ବରୁ ସମସ୍ତଙ୍କର ନଜର ଏବେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ । ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ।
ସେଥିପାଇଁ ରାଜୁଙ୍କୁ ମନାଇବାକୁ ଜୀ ଜାନ୍ ଲଗାଇଛି ବିଜେଡି । ତାଙ୍କୁ ଉପନିର୍ବାଚନ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରିବା, ନିର୍ବାଚନ ପରେ କୌଣସି ନିଗମର ଅଧ୍ୟକ୍ଷ କରିବା, ୨୪ରେ ଦଳୀୟ ଟିକଟ୍ ଦେବା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାର ଲୋଭନୀୟ ଅଫର୍ ଦିଆଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ସ୍ବାଭିମାନର ଲଢ଼େଇ ଲଢ଼ୁଥିବା ରାଜୁ ମୈଦାନର ଛାଡ଼ିବାର ପ୍ରଶ୍ନ ନାହିଁ ବୋଲି ସଫାସଫା କହିସାରିଛନ୍ତି । କୌଣସି ଜାଗାରେ ବିକ୍ରିର ପ୍ରଶ୍ନ ଉଠୁ ନଥିବା କହିଛନ୍ତି ।
ତେବେ ରାଜୁ ନିଜ ନିଷ୍ପତ୍ତିରେ ଅଟଳ ରହୁଛନ୍ତି ନା ସେଥିରୁ ଓହରୁଛନ୍ତି ତାହା ଆଜି ସଂଧ୍ୟା ସୁଦ୍ଧା ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ । ରାଜୁଙ୍କ ନିଷ୍ପତ୍ତି ଅନେକାଂଶରେ ଧାମନଗର ଉପନିର୍ବାଚନ ଓ ବିଜେଡିକୁ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ରାଜୁ ନ ଓହରିଲେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିବାର ବିଜେଡିର ଟ୍ରାକ୍ ରେକର୍ଡ ମଧ୍ୟ ଭାଙ୍ଗିବ ।
