ଧାମନଗରରେ ଇତିହାସର ପୁନରାବୃତ୍ତି ହେବନି ତ ?

ଭଦ୍ରକ : ଧାମନଗର ବିଜେଡି ଇତିହାସ ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ପୁରସ୍କୃତ ହୋଇଥିବା ପ୍ରମାଣ ଦେଉଛି । ଚଳିତ ଉପନିର୍ବାଚନରେ ବି ଧାମନଗର ବିଜେଡିକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିୟନ୍ତ୍ରଣ କରୁଥିବା ଅଧିକାଂଶ ବିଜେଡି ନେତା ଅଥବା ସେମାନଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଅତୀତରେ ବିଦ୍ରୋହ କରିଥିବା ଇତିହାସ କହୁଛି । ଧାମନଗର ବିଜେଡି ଇତିହାସକୁ ପରଖିଲେ ୨୦୦୦ ରେ ବିଜେପି ସହିତ ମେଣ୍ଟ କରି ବିଜେଡି ଯେତେବେଳେ ପ୍ରଥମ ବିଧାନସଭା ନିର୍ବାଚନକୁ ସାମ୍ନା କରିଥିଲା ସେତେବେଳେ ଅସଂରକ୍ଷିତ ଧାମନଗର ଆସନ ବିଜେପି ଭାଗରେ ପଡ଼ିଥିଲା । ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଧାମନଗରରୁ ମେଣ୍ଟର ପ୍ରାର୍ଥୀ ହୋଇଥିଲେ । ହେଲେ ସେତେବେଳେ ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ମଇଦାନରେ ବିଦ୍ରୋହୀ ଭାବେ ଅବତୀର୍ଣ୍ଣ ହୋଇଥିଲେ ପ୍ରାକ୍ତନ ବିଧାୟକ ମାନସ ମଲ୍ଲିକ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ । ରାଜ୍ୟରେ କଂଗ୍ରେସ ବନାମ ମେଣ୍ଟ ଲଢେଇ ଚାଲିଥିଲେ ବି ମାନସଙ୍କ ପ୍ରାର୍ଥିତ୍ୱ ଧାମନଗରରେ ଏକ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ତିଆରି କରିଥିଲା । ମନମୋହନଙ୍କ ଲାଗି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜ​‌ପେୟୀ, ଜଗନ୍ନାଥଙ୍କ ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଧାମନଗରରେ ପହଞ୍ଚି ପ୍ରଚାର କରିଥିଲେ । ହେଲେ ଜିତିଥିଲେ ବିଦ୍ରୋହୀ ମାନସ । ମାନସ ଜିତିବା ପରେ ରାଜ୍ୟ ରାଜନୀତିରେ ଏକ ପ୍ରକାର ‘ହିରୋ’ ବନିଥିଲେ । ପରେ ବିଜେଡି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ବିଧାନସଭାର ସହଯୋଗୀ ସଦସ୍ୟ ଭାବେ ଗ୍ରହଣ କଲା ।

ପରେ ଆସିଲା ୨୦୦୪ ବିଧାନସଭା ନିର୍ବାଚନ । ଏଥରକ ବି ମେଣ୍ଟ ସୂତ୍ରରେ ବିଜେପି ଭାଗରେ ପଡ଼ିଥିଲା ଧାମନଗର ଆସନ । ମାନସ ପୁଣି ସ୍ୱାଧୀନ ପ୍ରାର୍ଥୀ ହେଲେ । ଏଥରକ କିନ୍ତୁ ମାନସ ବାଜି ହାରିଗଲେ । ବିଜେପିରୁ ମନମୋହନଙ୍କ ବିଜୟ ହେଲେ ଓ ଭାଗୁଆଳୀ ସରକାରରେ ମନମୋହନ ମନ୍ତ୍ରୀ ହେଲେ । ପରବର୍ତ୍ତୀ ଅବସ୍ଥାରେ ମାନସଙ୍କ ବିୟୋଗ ଘଟିଲା । ହେଲେ ସାନଭାଇ ସଞ୍ଜୀବ ମଲ୍ଲିକ ଆଜି ଭଦ୍ରକ ବିଧାୟକ । ଅନ୍ୟତମ ସାନଭାଇ ପ୍ରଦୀପ ମଲ୍ଲିକ ଜିଲାପରିଷଦ ସଦସ୍ୟ । ମାନସଙ୍କ ପୁଅ ଅମିତ ଏବେ ବିଜେଡିର ରାଜ୍ୟ ମୁଖପାତ୍ର । ସମ୍ପ୍ରତି ଧାମନଗର ଉପନର୍ବିାଚନରେ ବିଦ୍ରୋହ କରିଥିବା ରାଜୁ ଦାସଙ୍କ ଆଡକୁ । ୨୦୦୪ ରେ ରାଜୁ ମଧ୍ୟ ବିଦ୍ରୋହୀ ହୋଇଥିଲେ । ସେତେବେଳେ ସଂରକ୍ଷିତ ଚାନ୍ଦବାଲି ଆସନରେ ମେଣ୍ଟ ପ୍ରାର୍ଥୀ ବିଜେପିର ବିଷ୍ଣୁ ସେଠୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରୁଥିଲେ ବରିଷ୍ଠ ବିଜେଡି ନେତା ବିଜୟ ନାୟକ । ବିଜୟ ଓ ବିଷ୍ଣୁଙ୍କ ଭିତରେ ତିକ୍ତତା ଶୀର୍ଷ ଛୁଇଁଥିଲା । ମେଣ୍ଟ ନିଷ୍ପତ୍ତି ବିରୋଧରେ ଯାଇ ବିଷ୍ଣୁଙ୍କୁ ପାନେ ଦେବା ଲାଗି ବିଜୟ ନିଜର ଅନୁଗତ ରାଜୁ ଦାସଙ୍କୁ ୨୦୦୪ ବିଧାନସଭା ନିର୍ବାଚନରେ ସଂରକ୍ଷିତ ଚାନ୍ଦବାଲି ଆସନରେ ସ୍ୱାଧୀନ ଭାବେ ଛିଡା କରାଇଲେ । ବିଜେଡି ଉଭୟ ବିଜୟ ଓ ରାଜୁଙ୍କୁ ନିଲମ୍ବନ କଲା । ହେଲେ ୨୦୦୯ ବେଳକୁ ଉଭୟଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦିଆଗଲା । ବିଜୟଙ୍କ ଘର ତିହିଡି ବ୍ଲକର ବିଲଣା ପଞ୍ଚାୟତରେ ଓ ରାଜୁଙ୍କ ଘର ତିହିଡି ବ୍ଲକର କାଁପଡ଼ା ପଞ୍ଚାୟତରେ । ୨୦୦୯ ର ହୋଇଥିବା ନିର୍ବାଚନମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣରେ ଉଭୟ ବିଲଣା ଓ କାଁପଡ଼ା ସଂରକ୍ଷିତ ଧାମନଗର ଆସନ ଅଧୀନକୁ ଆସିଗଲା ।

ଏତିକିବେଳେ ୨୦୦୪ ରେ ବିଷ୍ଣୁଙ୍କୁ ହରାଇଥିବା ବିଜୟ ଓ ରାଜୁ ଦୁଇଜଣଙ୍କୁ ଏକାଥରକେ ପରସ୍କୃତ କଲା ବିଜେଡି । ବିଜୟଙ୍କୁ ଚାନ୍ଦବାଲି ଆସନ ଓ ରାଜୁଙ୍କୁ ଧାମନଗର ଆସନରୁ ବିଧାନସଭା ଯିବାର ସୁଯୋଗ ଦେଲା ଦଳ । ସଂଯୋଗକ୍ରମେ ବିଜୟଙ୍କ ଭଣଜା ବ୍ୟୋମକେଶ ରାୟ ବି ଏବେ ଚାନ୍ଦବାଲି ବିଧାୟକ । ସେହିପରି ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନାୟକ ମଧ୍ୟ ଅତୀତରେ ବିଦ୍ରୋହୀ ଭୂମିକାରେ ଥିଲେ । ୨୦୧୭ ଜିଲା ପରିଷଦ ନିର୍ବାଚନରେ ବିଜେପି ସହିତ ମେଣ୍ଟ କରି ଗଠନ କରିଥିଲେ ଧାମନଗର ବିକାଶ ମଞ୍ଚ । ଏହି ମଞ୍ଚ ଧାମନଗରରେ ବିଜେଡିକୁ ଧୁଳି ଚଟାଇଥିଲା । ଜିଲା ପରିଷଦ ନିର୍ବାଚନରେ ଧାମନଗର ବ୍ଲକରେ ଶଙ୍ଖ ଚିହ୍ନରେ କେହି ଜିତିଲେନି । ସେତେବେଳେ ବିଜେଡି ମଧ୍ୟ ଅଶୋକଙ୍କୁ ଦଳରୁ ନିଲମ୍ବିତ କରିଥିଲା । କିନ୍ତୁ ପରେ ନିଲମ୍ବନ ହଟିଛି, ଅଶୋକ ପଞ୍ଚାୟତ ସମିତିର ମଙ୍ଗ ଧରିଛନ୍ତି ଏବଂ ତାଙ୍କ ପତ୍ନୀ ଏବେ ଅଧ୍ୟକ୍ଷା ଅଛନ୍ତି ।

ଧାମନଗର ରାଜନୀତିର ଏହି ଇତିହାସରୁ ଆଉ ଗୋଟେ କଥା ବି ବୁଝାପଡୁଛି ଯେ, ଦଳ ଯେତେବେଳେ ଯାହା ନିଷ୍ପତ୍ତି ନେବ ତାକୁ ଧାମନଗରର ସମସ୍ତ ଦଳୀୟ କର୍ମୀ ମାନନ୍ତିନି । ଅନେକ କର୍ମୀ ଦଳକୁ ପଛକୁ ଠେଲି ନିଜ ପସନ୍ଦର ନେତାଙ୍କ ସହିତ ରୁହନ୍ତି । ଦଳୀୟ କର୍ମୀଙ୍କ ଏହି ମାନସିକତା ହିଁ ସାଂପ୍ରତିକ ସ୍ଥିତିରେ ରାଜ୍ୟ ବିଜେଡି ନେତାଙ୍କ ଲାଗି ଭୀତି ସଞ୍ଚାର କରିଛି ବୋଲି କୁହାଯାଉଥିବା ବେଳେ ‘ନବୀନ ମ୍ୟାଜିକ’କୁ ନେଇ ଦମ୍ଭ ଦେଖାଉଛନ୍ତି ନେତାଏ । ଆଗକୁ ଫଳାଫଳ ହିଁ କହିବ କେଉଁଟା ସତ ?

Leave a Reply

Your email address will not be published. Required fields are marked *