ଏଟିଏମ ସେବାରେ ଅବ୍ୟବସ୍ଥା, ସମସ୍ୟାରେ ଗ୍ରାହକ

ତିଗିରିଆ : ତିଗିରିଆ ନିଜିଗଡ଼଼ ଗୋହିରୀମୁଣ୍ଡ ଛକ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ରହିଥିବା ଏଟିଏମ କେନ୍ଦ୍ର ସେବାରେ ଅବ୍ୟବସ୍ଥା ଲାଗି ରହିଛି । ବ୍ୟସ୍ତ ବହୁଳ ଉକ୍ତ ସ୍ଥାନରେ ଦୈନିକ ଶହଶହ ଜନସାଧାରଣ ଏହା ଉପରେ ନିର୍ଭରଶୀଳ ରହୁଥିବା ବେଳେ କେତେକ ପ୍ରମୁଖ ସମସ୍ୟାରେ ଗ୍ରାହକମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ମୁତାବକ କେବଳ ବିଦ୍ୟୁତ୍‍ ସରବରାହ ସମୟରେ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ଅଞ୍ଚଳରେ ବିଦ୍ୟୁତ କାଟ ହେଲେ ସେବା ଯୋଗାଇବା ପାଇଁ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ନଥିବା ଜଣାପଡ଼ିଛି । ଏଟିଏମକୁ ଟଙ୍କା ପାଇଁ ଯାଇଥିବା ବ୍ୟକ୍ତି ବିଦ୍ୟୁତ୍‍ କାଟ ସମୟରେ ଅପେକ୍ଷା କରିବାକୁ ପଡ଼ୁଛି । ସେହିଭଳି ଏଟିଏମରେ ଅଧା କାରବାର ମଧ୍ୟରେ ଦୈବାତ୍‍ ବିଦ୍ୟୁତ୍‍ ବିଭ୍ରାଟ ଦେଖାଦେଲେ ଗ୍ରାହକଟିଏ ଏଟିଏମ ପାଖରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି । ଶନିବାର ନିଜିଗଡ଼଼ ଅଞ୍ଚଳରେ ବିଦ୍ୟୁତ୍‍ କାଟ କରାଯାଇ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‍ ସରବରାହ ମରାମତି କରାଯାଉଥିଲା । ବିଦ୍ୟୁତ୍‍ କାଟ ହେବା ପୂର୍ବରୁ ପାଞ୍ଚଗାଁର ଜଣେ ଗ୍ରାହକ ଟଙ୍କା ଉଠାଇବାକୁ ଆସି ଏଟିଏମରେ ନିଜର କାର୍ଡ଼ ଭର୍ତ୍ତି କରି ଅଧା କାରବାରରେ ବିଦ୍ୟୁତ୍‍ କାଟ ହେବାରୁ ବ୍ୟକ୍ତି ଜଣଙ୍କ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏଟିଏମ ପାଖରେ ନିଜ କାର୍ଡ଼ଟିକୁ ଜଗି ରହିବାକୁ ବିବଶ ହୋଇଥିବା ଜଣାପଡ଼ିଛି । ସେହିଭଳି ଏଟିଏମ ଭିତରେ ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଦୀର୍ଘ ଏକ ବର୍ଷ ହେଲା ଅଚଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ କେନ୍ଦ୍ରରେ ଦୁଇଟି ଏଟିଏମ ମେସିନ ରହିଥିବା ବେଳେ ବର୍ଷର ଅଧିକାଂଶ ସମୟ ଗୋଟିଏ ସଚଳ ଓ ଆଉ ଗୋଟିଏ ଅଚଳ ହୋଇ ପଡ଼ୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

ଆଗକୁ ନିଜିଗଡ଼଼ର ପ୍ରସିଦ୍ଧ କାଳୀପୂଜା ଯାତ୍ରା ଏବଂ ଦୀପାବଳୀ ଭଳି ପର୍ବ ପାଖେଇ ଆସୁଥିବାରୁ ଏହା ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼଼ିବ । ଏଣୁ ବ୍ୟାଙ୍କ କର୍ତ୍ତୁପକ୍ଷ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏଟିଏମ ସେବାକୁ ସୁବ୍ୟବସ୍ଥିତ କରିବାକୁ ସ୍ଥାନୀୟ ଜନସାଧାରଣ ଏବଂ ବଜାରବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *