ବାଲେଶ୍ବର : ସ୍ବଚ୍ଛ ଭାରତ ମିଶନରେ ବାଲେଶ୍ବର ସହରକୁ ସ୍ବଚ୍ଛ ସୁନ୍ଦର କରିବା ପାଇଁ ପୌର ପରିଷଦ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସରକାରୀ କାନ୍ଥପାଚେରିଗୁଡ଼ିକୁ ଚିତ୍ରକଳାରେ ଆକର୍ଷଣୀୟ କରାଯାଇଛି । ମାତ୍ର ଆରମ୍ଭରୁ ଏହି କାମରେ ବ୍ୟାପକ ଅର୍ଥ ହେର୍ଫେର କରାଯାଉଥିବା ଅଭିଯୋଗ ହୋଇଆସିଥିବା ବେଳେ ଚଳିତ ବର୍ଷ ମଧ୍ୟ ପୁଣିଥରେ ପୌର କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହଘେରକୁ ଆସିଛି ।
ବର୍ତ୍ତମାନ ସହରର ଯେଉଁ ଯେଉଁ ସରକାରୀ କାନ୍ଥ କିମ୍ବା ପାଚେରି ଗତବର୍ଷ ଏବଂ ତା’ ପୂର୍ବରୁ ଚିତ୍ରକଳାରେ ସଜା ଯାଇଥିଲା, ଚଳିତବର୍ଷ ସେହି ସ୍ଥାନରେ ନୂଆ କୌଣସି ଚିତ୍ର ଅଙ୍କା ନଯାଇ କିମ୍ବା ରଙ୍ଗ ନକରାଯାଇ ସେଥିରେ ଲେଖାଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୧କୁ ଲିଭାଯାଇ ସେହିସ୍ଥାନରେ ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ବୋଲି ଲେଖାଯାଉଛି । ଯେଉଁମାନଙ୍କୁ ଏହି କାମରେ ନିୟୋଜିତ କରାଯାଇଛି ସେମାନଙ୍କ କହିବା ଅନୁଯାୟୀ, ପୌର ପରିଷଦ ପକ୍ଷରୁ କେବଳ ଚିତ୍ରକଳାଗୁଡ଼ିକ ଉପରେ ମସିହା ପରିବର୍ତ୍ତନ କରିବାକୁ କୁହାଯାଇଛି । ଏହାଛଡ଼ା ସେମାନେ ଆଉ କିଛି ବି କହିପାରିବେ ନାହିଁ । ତେବେ ପ୍ରଶ୍ନ ଉଠୁଛି ଯଦି ଏହି ଚିତ୍ରଗୁଡ଼ିକ ପୂର୍ବ ବର୍ଷର, ତା’ ହେଲେ କାହିଁକି ସେଥିରେ ଲେଖାଥିବା ମସିହା ପରିବର୍ତ୍ତନ କରାଯାଉଛି । ଚିତ୍ର ନ ଆଙ୍କି କେବଳ ମସିହା ପରିବର୍ତ୍ତନ କରି ସେଗୁଡ଼ିକୁ ଚଳିତ ବର୍ଷର ବୋଲି ଜଣାଇବାକୁ ଚାହୁଁଛନ୍ତି କି ପୌର କର୍ତ୍ତପକ୍ଷ ? ଏହାର ବିଧିବଦ୍ଧ ଯାଞ୍ଚ୍ କରାଗଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସହରବାସୀ ଦାବି କରିଛନ୍ତି ।
ସୂଚନାଥାଉକି, ୨୦୨୦ ମସିହାରେ ପ୍ରଥମେ ସହରର ମୁଖ୍ୟ ରାସ୍ତାପାର୍ଶ୍ବରେ ଥିବା ସରକାରୀ କାନ୍ଥ ପାଚେରିଗୁଡ଼ିକୁ ରଙ୍ଗ ଲଗାଇ ସେଥିରେ ବାଲେଶ୍ବର ଜିଲ୍ଲା ତଥା ଓଡ଼ିଶାର କଳା ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ, ପର୍ବପର୍ବାଣି, କ୍ରୀଡ଼ା, ଶିକ୍ଷା, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସଚେତନଧର୍ମୀ ଚିତ୍ର ସହ ସ୍ବାଧୀନତା ସଂଗ୍ରାମୀ ଏବଂ ଜିଲ୍ଲାର ଜୀବନଜୀବିକାକୁ ଆକର୍ଷଣୀୟ ଚିତ୍ର ଅଙ୍କାଯାଇଥିଲା । ସହରର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା କରୋନା ସମୟରେ ଜୀବିିକା ହରାଇଥିବା ବେକାର ଯୁବକ ଏବଂ ଚିତ୍ରଶିଳ୍ପୀମାନଙ୍କୁ ରୋଜଗାର ଦେବା ଲାଗି ସହରାଞ୍ଚଳ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଜନା ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତେବେ କାନ୍ଥ ପାଚେରିଗୁଡ଼ିକ ଆକର୍ଷଣୀୟ ଚିତ୍ରକଳାରେ ସିନା ଝଲସି ଉଠିଲେ, କିନ୍ତୁ ଅନେକ ସ୍ଥାନରେ କାମ କିଏ କରିଥିଲା ଏବଂ କେତେ ଟଙ୍କା କେଉଁଠି ଖର୍ଚ୍ଚ କରାଯାଇଥିଲା, ସେନେଇ କିଛି ଜଣାଯାଇନଥିଲା । ନା ଫଳକ ଲଗାଯାଇଥିଲା, ନା ସେଥିପାଇଁ ବିଭାଗୀୟ ଅଧିକାରୀ କିଛି ତଥ୍ୟ ଦେଇପାରିଲେ ?
ଏମିତିକି ଚିତ୍ର ଅଙ୍କନ କାର୍ଯ୍ୟରେ ବେକାର ବସିଥିବା ବା କାମ ପାଇପାରୁନଥିବା ଚିିତ୍ରଶିଳ୍ପୀଙ୍କୁ ସାମିଲ କରାନଯାଇ ସହରର ନିର୍ଦ୍ଦିଷ୍ଟ ଏକ ଆର୍ଟ କଲେଜ ପ୍ରତି ପୌର ପରିଷଦ ପକ୍ଷରୁ ଅନୁକମ୍ପା ଦେଖାଯାଇଥିଲା । ଉକ୍ତ କଲେଜର ମାଲିକ ମଧ୍ୟ ଅଧିକାରୀଙ୍କ ନିକଟରୁ ନିଜ ସ୍ବାର୍ଥ ହାସଲ କରିବା ପାଇଁ କଲେଜର ଛାତ୍ରଛାତ୍ରୀମାନଙ୍କୁ ସେହି କାମରେ ଲଗାଇଲେ ଏବଂ ପ୍ରାକ୍ଟିକାଲ କ୍ଲାସ ନାଁରେ ସେମାନଙ୍କୁ ଏହି କାମରେ ଲଗାଇ ପ୍ରଶାସନ ଏବଂ ସମ୍ପୃକ୍ତ କଲେଜ ମାଲିକ ସରକାରୀ ଅର୍ଥ ଚଳୁ କରିଥିବା ନଜିର ରହିଛି । ଏନେଇ ପୌରା ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ପଚାରିବାରୁ ସହରବାସୀଙ୍କୁ ସ୍ବଚ୍ଛତା ଉପରେ ସଚେତନ ପାଇଁ ପ୍ରତିବର୍ଷ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ଚାଲିଛି । ସେହି କ୍ରମରେ ଚଳିତ ବର୍ଷ ସହରରେ ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଚାଲିଛି । ତେଣୁ ସରକାରୀ କାନ୍ଥ ପାଚେରିରେ ତାହା ଲେଖାଯାଉଥିବା କହିଛନ୍ତି । ମାତ୍ର ପୁରୁଣା ଚିତ୍ରକଳା ଉପରେ ସେଗୁଡ଼ିକ ଲେଖାଯିବାର କାରଣ ନେଇ ସେ କିଛି ପ୍ରତିକ୍ରିୟା ରଖିନାହାନ୍ତି ।
