ନୀଳଗିରି : ରେଞ୍ଜରଙ୍କ କାରକୁ ଆକ୍ରମଣ କଲା ବଣୁଆ ହାତୀ । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ନିକଟରେ ହାତୀ ଆକ୍ରମଣରେ ଭାଙ୍ଗିଲା ରେଞ୍ଜରଙ୍କ ଗାଡି । ଅଳ୍ପକେ ବର୍ତିଲେ ରେଞ୍ଜର । ପଞ୍ଚଲିଙ୍ଗେଶ୍ଵର ବିଟ୍ ଅଧିନ ଗୋଡ଼ିଖୁଳା ପାଟଚଣ୍ଡି ଗାଁ ପାଖରେ ଏହି ଘଟଣା ଘଟିଛି ।
ଖବର ଅନୁଯାୟୀ, ଗୋଡ଼ିଖୋଳା ଅଞ୍ଚଳରେ ଏକ ଦନ୍ତାହାତୀ ଉପଦ୍ରବ ଘଟାଇ ଚାଲିଥିବା ସଂପର୍କରେ କୁଲଡିହା ବନ ବିଭାଗ ଖବର ପାଇଥିଲା । ଏନେଇ ବନପାଳ ଓ ୪ ଜଣ ସବୁଜ ବାହିନୀ କର୍ମଚାରୀ ରାତିରେ ପହଞ୍ଚି ଦନ୍ତାକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଦନ୍ତାଟି ନାକେଦମ କରିବା ପରେ ପାଟଚଣ୍ଡି ନିକଟରେ ରାସ୍ତାରେ ଯାଉଥିବା ବେଳେ ଦନ୍ତାଟି କର୍ମଚାରୀଙ୍କୁ ପାଲଟା ଆକ୍ରମଣ କରିଥିଲା । ଏପିରିକି ପାଟ୍ରୋଲିଂ ରେ ଯାଇଥିବା ବୋଲେରକୁ ଠେଲି ନାଳରେ ପକାଇଥିଲା । ଯାହା ଫଳରେ ୫ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।
ତେବେ ଡ୍ରାଇଭର ଜଣକ ଗାଡି ହର୍ଣ୍ଣ ମାରିବାରୁ ଦନ୍ତାଟି ଜଙ୍ଗଲକୁ ଚାଲିଯାଇଥିଲା । ପରେ ବନ ବିଭାଗ ଟ୍ରାକ୍ଟର ସହାୟତାରେ ବୋଲେରଟିକୁ ଉଦ୍ଧାର କରି ଆଣିଥିବା ଜଣାପଡ଼ିଛି । ସେପଟେ ବନ ବିଭାଗ ମୋଟା ଅଙ୍କର ସରକାରି ଦରମା ନେ଼ଇ କାର୍ଯ୍ୟ ସଠିକ୍ ଭାବରେ କରୁନଥିବା ଅଭିଯୋଗ ନେଇ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟର ଓ ରେଞ୍ଜରଙ୍କ ବିରୋଧରେ ମେଳି ବାନ୍ଧିଲେଣି ଲୋକେ ।
