ବାଲେଶ୍ବର : ବାଲେଶ୍ବର ସହର ଉପକଣ୍ଠରେ ୧୬ ନମ୍ବର ଜାତୀୟ ରାଜପଥର ରେମୁଣା ଗୋଲେଇରୁ ନହରପାଟଣା, ସେଠାରୁ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ଛକ ଏବଂ ନହରପାଟଣା ଠାରୁ ଅରଡ଼ବଜାର ଭାୟା ଫୁଲାଡ଼ି ଓ ଦହପଡ଼ା ପର୍ଯ୍ୟନ୍ତ ରହିଥିବା ରାସ୍ତା ପ୍ରତିଦିନ ରାତି ହେଲେ ଅପରାଧୀଙ୍କ ଚରାଭୂଇଁ ପାଲଟୁଛି । ରାତି ସମୟରେ ଜିଲ୍ଲା ଡାକ୍ତରଖାନା, ଥାନା, ବସ୍ଷ୍ଟାଣ୍ଡ, ରେଳଷ୍ଟେସନ୍ କିମ୍ବା ଅନ୍ୟାନ୍ୟ ଜରୁରୀ କାମରେ ଲୋକେ ସଦର ମହକୁମାକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଅପରାଧୀଙ୍କ ଦ୍ବାରା ଲୁଟ୍ପାଟ କିମ୍ବା ଡକାୟତିର ଶିକାର ହେଉଛନ୍ତି । ତେବେ ଦିନେଅଧେ ନୁହେଁ, ପ୍ରତିଦିନ ଲୋକେ ଏଭଳି ଘଟଣାର ଶିକାର ହୋଇଆସୁଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ କରାନଯିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ଫୁଲାଡ଼ି ଛକରେ ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବାଲେଶ୍ବର ସହରରୁ ଫୁଲାଡ଼ି ଯିବା ରାସ୍ତାରେ ଏମିତି କୌଣସି ଦିନ ନାହିଁ, ଯେଉଁ ଦିନ କୌଣସି ଲୋକ ଲୁଟ୍ପାଟ୍ କିମ୍ବା ଆକ୍ରମଣର ଶିକାର ହୋଇନଥିବେ । ପୁଲିସକୁ କୌଣସି ଘଟଣା ବାବଦରେ ଖବର ଦେଲେ କିମ୍ବା ଅପରାଧର ଶିକାର ହୋଇଥିବା ବ୍ୟକ୍ତିଟି ଅଭିଯୋଗ କରିବାକୁ ପୁଲିସ ନିକଟରେ ପହଞ୍ଚିଲେ, ପୁଲିସ ତରଫରୁ ସେମାନଙ୍କୁ ନ୍ୟାୟ ଦେବା ଲାଗି ସେଭଳି କୌଣସି ତତ୍ପରତା ଦେଖାଯାଉନାହିଁ । ସେହିପରି ଦହପଡ଼ା ଅଞ୍ଚଳର ଜଣେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ପୁଲିସ ହେଉ କି ପ୍ରଶାସନ, ସମସ୍ତେ ଏ ଅଞ୍ଚଳର ଅପରାଧିକ ଗତିବିଧି ଉପେର ଅବଗତ ଅଛନ୍ତି । ଏପରିକି ସ୍ଥାନୀୟ ଲୋକପ୍ରତିନିଧି, ବିଧାୟକ, ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଏନେଇ ବାରମ୍ବାର ଅଭିଯୋଗ ହୋଇଆସିଛି । ରାଜପଥରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବାର ବ୍ୟବସ୍ଥା ରହିଥିବା ବେଳେ ରେମୁଣା ଗୋଲେଇରୁ ନହରପାଟଣା, ନହରପାଟଣାରୁ ହଳଦୀପଦା ଏବଂ ନହରପାଟଣାରୁ ଫୁଲାଡ଼ିଛକ ଦେଇ ବାଲେଶ୍ବର ସହରର ଅରଡ଼ବଜାର ପର୍ଯ୍ୟନ୍ତ କାହିଁକି ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଉନି ସେନେଇ ସେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଫୁଲାଡ଼ିଛକ ଠାରୁ କିଛି ଦୂରରେ ଜାତୀୟ ରାଜପଥ କଡ଼ରେ ଏକ ପୁଲିସ ଫାଣ୍ଡି ରହିଥିବା ବେଳେ ସେଠାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ କିମ୍ବା ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଉପର ଠାଉରିଆ ଭାବେ ସେଠାରେ ରହୁଥିବା ପୁଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା କୁହାଯାଇଛି ।
ସୂଚନା ଥାଉକି, ପ୍ରତିଦିନ ରାତି ୯ଟା ପରେ ପରେ ଏହି ରାସ୍ତାରେ ଦୋକାନ ବଜାର ବନ୍ଦ ହେବା ପରେ ଅପରାଧୀ ଗୋଷ୍ଠୀ ଛକ ଛକରେ ଜଗି ରହିଥାଆନ୍ତି । ବନ୍ଧୁକ, ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ଖୁଲମଖୁଲା ରାସ୍ତା ଉପରେ ବାଇକ୍ ଧରି ପଇଁତରା ମାରିଥାଆନ୍ତି । ତମାମ୍ ରାତି ସେମାନଙ୍କ ପ୍ରାଦୁର୍ଭାବ ଏମିତି ଜାରି ରହିଥାଏ । ପୁଲିସର ନିଷ୍କ୍ରିୟତା ଦେଖି ନିଶା ମାଫିଆମାନେ ଦିନରାତି ଖୁଲମଖୁଲା ମଦ, ଗଞ୍ଜେଇ ଓ ବ୍ରାଉନ୍ସୁଗାର କାରବାର କରୁଛନ୍ତି । କାଁ ଭାଁ କେତେବେଳେ ପୁଲିସ ଗାଡ଼ିଟିଏ ସେଇପଟେ ପାଟ୍ରୋଲିଂରେ ଗଲେ ସେମାନେ ଟିକେ ଦୃଷ୍ଟି ଆଢ଼ୁଆଳକୁ ଚାଲିଯାଉଥାଆନ୍ତି ଏବଂ ପୁଣି ତମାମ ରାସ୍ତା ଉପରେ ସେମାନଙ୍କ ଉତ୍ପାତ ଜାରିରହୁଛି । ପୁଲିସ ମଧ୍ୟ ଅଧିକାଂଶ ସମୟରେ ସେମାନଙ୍କ ଗତିବିଧି ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ରାତି ସମୟରେ ସେଠାକୁ ଡ୍ୟୁଟି କରିବାକୁ ଯାଉଥିବା ଜଣେ ପୁଲିସ କର୍ମୀଙ୍କ କହିବା ଅନୁଯାୟୀ, ଅପରାଧିକ କାର୍ଯ୍ୟକଳାପରେ ଏ ଅଞ୍ଚଳ କ’ଣ ଏବଂ ପୁଲିସ ପ୍ରଶାସନ ଏ ଅଞ୍ଚଳକ ପ୍ରତି କେତେ ଗୁରୁତ୍ବ ଦେବା ଦରକାର, ତାହା ସେମାନେ ଜାଣନ୍ତି । କିନ୍ତୁ ସେସବୁ ନକରି କେତେଜଣ ପୁଲିସକର୍ମୀଙ୍କୁ ହାତରେ ବାଡ଼ିଖଣ୍ଡେ ଦେଇ ବନ୍ଧୁକ, ଖଣ୍ଡା, ଭୁଜାଲି ଧରି ବୁଲୁଥିବା ଅପରାଧୀଙ୍କୁ ଧରିବା ପାଇଁ ପଠାଇ ଦିଆଯାଉଛି । ଫଳରେ ନିର୍ଭୟରେ ଅପରାଧୀମାନେ ସେ ଅଞ୍ଚଳକୁ ଏକରକମ୍ ନିଜ କବ୍ଜାରେ ରଖିସାରିଲେଣି । ଡ୍ୟୁଟି କରିବାକୁ ଯାଉଥିବା ପୁଲିସ କର୍ମୀ ମଧ୍ୟ ଅପରାଧୀଙ୍କ ଦ୍ବାରା ଏକାଧିକ ଥର ଆକ୍ରମଣର ଶିକାର ହୋଇଛନ୍ତି । ଲୋକଙ୍କ ଧନଜୀବନ ସୁରକ୍ଷା କରିବାକୁ ଯାଇ ଓଲଟା ଆକ୍ରମଣର ଶିକାର ହେଉଥିବାରୁ ଏ କଥା ସେମାନେ କାହା ଆଗରେ କହିପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।
