ତିଗିରିଆ ବ୍ଲକରେ ଦୁର୍ବଳ ହୋଇପଡ଼ିଛି ଗୃହପାଳିତ ପ୍ରାଣୀ ସମ୍ପଦ ସୁରକ୍ଷା ବ୍ୟବସ୍ଥା, ୩ଟି ପଦକୁ ଏକା ସମ୍ଭାଳୁଛନ୍ତି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ

ତିଗିରିଆ : ତିଗିରିଆ ବ୍ଲକରେ ଗୃହପାଳିତ ପ୍ରାଣୀ ସମ୍ପଦ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି । ବ୍ଲକର ୪ଟି ପଞ୍ଚାୟତରେ ରହିଥିବା ଗୃହପାଳିତଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ କାର୍ଯ୍ୟକରୁଥିବା ପ୍ରାଣୀଧନ ନିରୀକ୍ଷକ ପଦ ଦୀର୍ଘଦିନ ହେଲା ଖାଲି ପଡ଼ିଥିବା ବେଳେ ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ଏକମାତ୍ର ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ସମସ୍ତ କାଗଜାତ କାର୍ଯ୍ୟ ସହିତ ବ୍ଲକର ସମସ୍ତ ପ୍ରାଣୀ ସମ୍ପଦର ଚିକିତ୍ସା ବ୍ୟବସ୍ଥା ତଦାରଖ ଓ ଚିକିତ୍ସା କରିବା ଏକ କଷ୍ଟକର ବ୍ୟାପାର ହୋଇପଡ଼ିଛି ।

ତିଗିରିଆ ବ୍ଲକରେ ସମୁଦାୟ ୧୦ ହଜାର ୧୦୦ ବଡ ଗୃହପାଳିତ ଗୋରୁ ଗାଇ ଓ ମଇଁଷି ରହିଥିବା ବେଳେ ଛୋଟ ଗୃହପାଳିତ ଛେଳି ମେଣ୍ଡା ୮ ହଜାର ୬୫୦ଟି ରହିଛନ୍ତି । ଏହାଛଡ଼ା ୪୦ ହଜାରରୁ ଅଧିକ କୁକୁଡ଼ା ପାଳନ କରାଯାଉଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ତେବେ ତିଗିରିଆ ନିଜିଗଡ଼ ଠାରେ ରହିଥିବା ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ସରକାରୀ ମଞ୍ଜୁର ପଦ ଜଣେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଜଣେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ପଦ ଦୀର୍ଘ ୬ ମାସ ହେଲା ଖାଲିପଡ଼ିଛି । ସେହିପରି ନୂତନ ଭାବେ ସୃଷ୍ଟି କରାଯାଇଥିବା ପଦ ମଧ୍ୟରୁ କେବଳ ପ୍ରାଣୀ ଚିକିତ୍ସାଧିକାରୀ ପଦ ମଧ୍ୟ ଖାଲି ପଡ଼ିଛି । ବ୍ଲକରେ ରହିଥିବା ୭ ଗୋଟି ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୪ଟି ରେ ନିରୀକ୍ଷକ ପଦ ଖାଲିପଡ଼ିଛି । ତିଗିରିଆ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ବର୍ଷ ତମାମ କୃଷି କାର୍ଯ୍ୟ କରାଯାଉଥିବା ମହାନଦୀ କୂଳବର୍ତ୍ତୀ ବଡ଼ନାଉପୁଟ, ଗଦାଧରପୁର, ଖଣ୍ଡହତା ଏବଂ ବିନ୍ଧାଣିମା ଆଦି ପ୍ରାଣୀଧନ କେନ୍ଦ୍ରରେ ନିରୀକ୍ଷକ ପଦ ଖାଲି ପଡ଼ିଛି । ଚାଷୀମାନେ ଘରେ ରଖିଥିବା ଗୋ ସମ୍ପଦ ଏବଂ ବିଶେଷ କରି ଛେଳି ମେଣ୍ଢା ପାଳନ କରୁଥିବା ଚାଷୀମାନେ ଠିକଣା ସମୟରେ ସହଯୋଗ ପାଇବା ସମ୍ଭବ ହେଉନାହିଁ । ରାତି ଅଧିଆ ଗୋ ସମ୍ପଦଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଲେ ଲୋକେ ଅବିଳମ୍ବେ ଚିକିତ୍ସା ପାଇଁ କଷ୍ଟକର ହୋଇପଡ଼ିଛି । ଏଣେ ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ପଦ ଖାଲିପଡ଼ିଥିବାରୁ ଲୋକଙ୍କୁ ପୂର୍ବରୁ ଦୁଆର ମୁହଁରେ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାହା ଆଉ ସମ୍ଭବ ହେଉନଥିବା ଜଣାପଡ଼ିଛି । ତିଗିରିଆ ଭଳି କୃଷି ପ୍ରଧାନ ଅଞ୍ଚଳରେ ପ୍ରାଣୀ ସମ୍ପଦ ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଖାଲି ପଡ଼ିଥିବା ପଦ ପୂରଣ ଦିଗରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଦୃଷ୍ଟି ଦେବାକୁ ଚାଷୀ, ଗୋପାଳକ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *