ବ୍ୟବସାୟୀଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି ଚାଷୀ

ଜଳେଶ୍ବର : ୨୦୨୧ ମସିହା ନଭେମ୍ବର ମାସରେ ଓଡ଼ିଶା ରାଜ୍ୟ କୃଷି ବିପଣନ ସଂଶୋଧିତ ଆଇନ ସମ୍ପର୍କରେ ଗେଜେଟ୍‌ ନୋଟିଫିକେସନ୍‌ ପରେ ବାଲେଶ୍ବର ଜିଲ୍ଲାର ଚାଷୀମାନେ ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ହୋଇଛି । କେବଳ ଯେ ଚାଷୀ ଶୋଷିତ ହେଉଛନ୍ତି ତାହା ନୁହେଁ, ଉତ୍ତର ବାଲେଶ୍ବର ଅଞ୍ଚଳରେ କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଥିବା ଜଳେଶ୍ବର ଆର୍‌ଏମ୍‌ସିର ଅବସ୍ଥା ମଧ୍ୟ ଦିନକୁ ଦିନ ରୁଗ୍‌ଣ ହୋଇଯାଉଛି । ଏପରି କି ଗତ ବର୍ଷକ ମଧ୍ୟରେ ଜଳେଶ୍ବର ଆର୍‌ଏମ୍‌ସି କୋଟିଏରୁ ଅଧିକ ଟଙ୍କାର ରାଜସ୍ବ ହରାଇଛି ବୋଲି କୁହାଯାଇଛି । ଫଳରେ ଓଡ଼ିଶା ରାଜ୍ୟ କୃଷି ବିପଣନ ଆଇନ-୧୯୫୬ କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍‌ଧରିଛି ।

ଓଡ଼ିଶା କୃଷି ବିପଣନ ଆଇନ ବା ଓଏପିଏମ୍‌ ଆ‌କ୍ଟ ୧୯୫୬ ମସିହାରେ ଜାରି ହୋଇଥିଲା । ଏହାର ଦୁଇ ବର୍ଷ ପରେ, ଅର୍ଥାତ୍; ୧୯୫୮ ମସିହାରେ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିଥିଲେ । ଆଇନ ଅନୁସାରେ କୃଷି ଓ କୃଷକର ଉନ୍ନତି ପାଇଁ ଆର୍‌ଏମ୍‌ସିଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ବିଶେଷ କରି ଚାଷୀ ଯେପରି ତାର ଉତ୍ପାଦିତ କୃଷି ସାମଗ୍ରୀର ଉପଯୁକ୍ତ ସହାୟକ ମୂଲ୍ୟ ପାଇବେ, ଟ୍ରେଡିଂ କରୁଥିବା ବ୍ୟବସାୟୀମାନଙ୍କ ଦ୍ବାରା ଚାଷୀ ଶୋଷିତ ହେଉନଥିବ, ସେନେଇ ଆର୍‌ଏମ୍‌ସି ତଦାରଖ କରିବ । ଏହି ଆଇନ ଅଧୀନରେ ୩୦ଟି ଧାରା ରହିଥିଲା । ବିଶେଷ କରି ଧାନ, ପାନ, ମାଛ, ଶୁଖୁଆ, ଅଣ୍ଡା, ଗୋରୁ, ଗାଈ, ମେଣ୍ଢା ଆଦି ଚାଷକୁ ଏହି ଆଇନ ଅଧୀନରେ ରଖାଯାଇଥିଲା । ତେବେ ସରକାର ହଠାତ୍ ୨୦୨୦ ମସିହାରେ ଏହି ଆଇନକୁ ସଂଶୋଧନ କରି ବିଧାନସଭାରେ ଏକ ଅଧ୍ୟାଦେଶ ଜାରି କରିଥିଲେ । ସେହି ଅଧ୍ୟାଦେଶ ସମ୍ପର୍କରେ ବିଧାନସଭାରେ କୌଣସି ଆଲୋଚନା ହୋଇନଥିଲେ ମଧ୍ୟ ତାକୁ ଆୟୁଧ କରି ୨୦୨୧ ମସିହା ନଭେମ୍ବର ମାସରେ ୧୯୫୬ ମସିହା ଆଇନର ସଂଶୋଧନ ପୂର୍ବକ ନୂଆ ଗେଜେଟ୍‌ ନୋଟିଫିକେସନ୍‌ ଜାରି କରିଥିଲେ ।

ପୂର୍ବରୁ ମଣ୍ଡିଗୁଡ଼ିକର ସୀମା ୧୦ କିମି ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ବେଳେ ନୂଆ ନୋଟିଫିକେସନ୍‌ରେ ଏହା ମାତ୍ର ୧୦ ଏକର ଅଞ୍ଚଳକୁ ସୀମିତ କରିଦିଆଗଲା । ଫଳରେ ୩ଟି ବ୍ଲକ୍‌କୁ ନେଇ ଗଠିତ ଜଳେଶ୍ବର ଆର୍‌ଏମ୍‌ସି ପୂର୍ବରୁ ବର୍ଷକୁ ଦେଢ଼ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଥିବା ବେଳେ ନୂଆ ଆଇନ ପରେ ଏହାର ବାର୍ଷିକ ଆୟ ମାତ୍ର ୪୦ ଲକ୍ଷ ଟଙ୍କାକୁ ଖସିଲା । ସବୁଠାରୁ ବଡ଼କଥା ସଂଶୋଧିତ ଆଇନ ଲାଗୁ ହେବା ପରେ ଜଳେଶ୍ବର ଆର୍‌ଏମ୍‌ସି ଅଞ୍ଚଳରେ ପଶ୍ଚିମବଙ୍ଗ ବ୍ୟବସାୟୀ ସକ୍ରିୟ ହେବା ସହ ଚାଷୀଙ୍କୁ ଶୋଷଣ କରିବାକୁ ଲାଗିଲେ । ବିଶେଷ କରି ଜଳେଶ୍ବର ଆର୍‌ଏମ୍‌ସି ଅଧୀନରେ ଥିବା ଜଳେଶ୍ବର ହାଟମଣ୍ଡି ଓ ଦେଉଳା, ନିମାତପୁର, ନାମ୍ପୋ, ରାଇବଣିଆ, କାଳିକ, ଖୁଆଡ଼ ଆଦି ପଞ୍ଚାୟତ ମଣ୍ଡିଗୁଡ଼ିକରେ ମାର୍କେଟ୍‌ ୟାର୍ଡ ତଥା ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ମଧ୍ୟ ସୁବିନିଯୋଗ ହୋଇପାରିଲା ନାହିଁ । ଯାହା ଦ୍ୱାରା ୨୦୨୧ ମସିହା ତୃଟିପୂର୍ଣ୍ଣ ଆଇନକୁ ପରିବର୍ତ୍ତନ କରି ପୂର୍ବବତ ୧୯୫୬ ମସିହା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଲା ।

ଫଳରେ ଗତ ୬ ତାରିଖରେ ସରକାର ଏ ସମ୍ପର୍କରେ ବିଭାଗୀୟ ଡାଇରେକ୍ଟର ଓ ଜିଏମ୍‌ଙ୍କୁ ୧୯୫୬ ଆଇନର କାର୍ଯ୍ୟକାରିତା ଉପରେ ଚିଠି ଲେଖିବା ସହ ଆଇନଗତ ଦିଗ ଉପରେ ସେମାନଙ୍କର ମତ ଲୋଡ଼ିଛନ୍ତି । ତେବେ ଉକ୍ତ ଆଇନ ଲାଗୁ ହେବ କି ନାହିଁ, ଯଦି ଲାଗୁହେବ କେବେଠାରୁ ଲାଗୁ ହେବ, ସେନେଇ କାହା ପାଖରେ କିଛି ଉତ୍ତର ନାହଁ । ତେଣୁ ୧୯୫୬ ମସିହାର ଆଇନକୁ ଅବିଳମ୍ବେ ଲାଗୁ କରାଯାଉ ବୋଲି କେବଳ ଜଳେଶ୍ବର ଆର୍‌ଏମ୍‌ସି ନୁହେଁ, ଜିଲ୍ଲାର ବାଲେଶ୍ବର ଓ ନୀଳଗିରି ଆର୍‌ଏମ୍‌ସି  କମିଟିର ବହୁ ପଦାଧିକାରୀ ଓ ଚାଷୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *