ବାଲେଶ୍ୱର : ନକଲି ‘ଟେଲ୍ମା-୪୦କୁ ନେଇ କଟକରେ ଛାନ୍ଭିନ୍ ହେବା ଓ ଏହାର ଚେର ରାଜ୍ୟ ବାହାରେ ଜଣାପଡ଼ିବା ପରେ ଏବେ କଫ ସିରପ୍ର ବେଆଇନ୍ ବିକ୍ରି ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି । ଭାରତରେ ପ୍ରସ୍ତୁତ କଫ ସିରପ୍ ପ୍ରଭାବରେ ଆଫ୍ରିକୀୟ ଦେଶ ଜାମ୍ବିଆରେ ୬୬ ଜଣ ଶିଶୁଙ୍କ ପ୍ରାଣହାନିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ବର ସହ ନେଇଛି । ସେପଟେ ବାଲେଶ୍ବର ଜିଲ୍ଲାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଅନେକ ଔଷଧ ଦୋକାନରେ ଡାକ୍ତରଙ୍କ ବିନା ପରାମର୍ଶ ଓ ଚିଠାରେ କଫ ସିରପ୍ ବିକ୍ରି କରାଯାଉଛି । କଫ ସିରପ୍ର ବେଆଇନ୍ ବିକ୍ରି ଉପରେ ରୋକ୍ ଲଗାଇବା କ୍ଷେତ୍ରରେ ବାଲେଶ୍ବର ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ ହେଲାଣି ।
୧୫ ଦିନ ପୂର୍ବରୁ ବାଲେଶ୍ୱର ସହର ଉପକଣ୍ଠ ରେମୁଣା ଗୋଲେଇର ଏକ ଔଷଧ ଗୋଦାମରେ ବିପୁଳ ପରିମାଣରେ କଫ ସିରପ୍ ଗଚ୍ଛିତ ଥିବା ସୂଚନା ପାଇ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ସେଠାରେ ଚଢ଼ଉ କରି ୨୦୪ ବୋତଲ କଫ ସିରପ୍ ଜବତ କରିଥିଲା । ବଜାରରେ କଫ ସିରପ୍ ନାଁରେ ବିକ୍ରି ହେଉଥିବା ତରଳ ପଦାର୍ଥକୁ ନାର୍କୋଟିକ୍ ବ୍ୟୁରୋ ପକ୍ଷରୁ ବ୍ୟବହାର ନିମନ୍ତେ ବାରଣ କରାଯାଇଛି । ଏଭଳି କ୍ଷେତ୍ରରେ କିଛି ରାସାୟନିକ ପଦାର୍ଥ ମିଶାଯାଇ କଫ ସିରପ୍ ବିକ୍ରି କରାଯାଉଛି । ନିଶାଡ଼ିମାନେ ଏହାକୁ ବ୍ୟବହାର କରୁଥିବାରୁ ଅବକାରୀ ବିଭାଗ ପକ୍ଷରୁ ମଝିରେ ମଝିରେ ଚଢ଼ଉ ହେଉଛି । ଏବେ କଫ ସିରପ୍କୁ ନେଇ ଆତଙ୍କ ସତ୍ତ୍ୱେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ଟାସ୍କଫୋର୍ସ ନିଦାବିଷ୍ଣୁ ସାଜିଛି । ଜିଲ୍ଲାରେ ଭେଜାଲ ଔଷଧର ପ୍ରବେଶ ହେଉଥିବା ବେଳେ ନିୟମିତ ଚଢ଼ାଉ କରାଯାଉନାହିଁ । ଫଳରେ ଔଷଧ ଯୋଗାଉଥିବା ବାହାର ଜିଲ୍ଲାର କିଛି ଡିଷ୍ଟ୍ରିବ୍ୟୁଟର ମାଲାମାଲ ହେଉଛନ୍ତି ।
ଅନ୍ୟପକ୍ଷରେ ଔଷଧର ସଂରକ୍ଷଣ, ଗୁଣବତ୍ତା ଓ ଔଷଧ ସେବନ ପ୍ରଣାଳୀ ଉପରେ ଗ୍ରାହକଙ୍କୁ ଠିକ୍ ଭାବେ ସଚେତନ କରାଯାଉନାହିଁ । ‘ଟେଲ୍ମା-୪୦କୁ ନେଇ କଟକରେ ଆତଙ୍କ ସୃଷ୍ଟି ହେବା ପରେ ବାଲେଶ୍ୱର ଜିଲ୍ଲାରେ କାଁଭାଁ ଚଢ଼ଉ କରାଯାଇଥିଲା । ଏବେ କଫ ସିରପ୍ର ଗୁଣବତ୍ତା ଉପରେ ପ୍ରଶ୍ନଚିହ୍ନ ଲାଗିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପୂରା ଢିଲା । ଏ ବାବଦରେ ସହକାରୀ ଔଷଧ ନିୟନ୍ତ୍ରକ ନିହାରିକା ଦାସଙ୍କୁ ପଚରାଯିବାରୁ ସେ କହିଥିଲେ, କଫ ସିରପ୍ ସଂକ୍ରାନ୍ତରେ ଚଢ଼ଉ ପାଇଁ ସେଭଳି କିଛି ନିର୍ଦ୍ଦେଶ ଆସିନାହିଁ । ଔଷଧ ଯାଞ୍ଚ୍ ପାଇଁ ବିଧିବଦ୍ଧ ସୂଚନା ଆସିଲେ, ଜିଲ୍ଲାରେ ଚଢ଼ଉ କଡ଼ାକଡ଼ି କରାଯିବ ।
