ଭୁବନେଶ୍ବର : ପରିବା ଦର ଆକାଶଛୁଆଁ ହୋଇଛି । ହାଣ୍ଡିଶାଳ ଉପରେ ଚଢା ଦରର ପ୍ରଭାବ ପଡିଛି । ପୁଣି ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ପରିବା ଦର ଆହୁରି ବଢିବା ସମ୍ଭାବନା ରହିଛି । ରାଜ୍ୟରେ ଉତ୍ପାଦିତ ହେଉଥିବା ଅଧିକାଂଶ ପନିପରିବା ଏଥର ବନ୍ୟାରେ ନଷ୍ଟ ହୋଇଯାଇଥିବା ବେଳେ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡୁଥିବାରୁ ଦର ଉଚ୍ଚା ରହୁଛି ।
ଶନିବାର ସନ୍ଧ୍ୟାରେ ୟୁନିଟ-୧ ହାଟରେ ଆଳୁ କିଲୋଗ୍ରାମ ୨୦ ଟଙ୍କା ଥିବାବେଳେ, ବାଇଗଣ ୩୦ ଟଙ୍କା ରହିଛି । ଟମାଟୋ କିଲୋ ୩୫ ଟଙ୍କା, କଲକାତା ପୋଟଳ କିଲୋ ୩୦ ଟଙ୍କା ଏବଂ କାଙ୍କଡ଼ କିଲୋ ୫୦ ଟଙ୍କା ରହିଛି । ଗତ ୧୦ ଦିନ ତଳେ ଯେଉଁ ପରିବା ଦର ୨୦ ରୁ ୩୦ଟଙ୍କା ରହିଥିଲା, ସେହି ପରିବା କିଲୋଗ୍ରାମ ଉପରେ ୧୦ ରୁ ୧୫ ଟଙ୍କା ବଢିଛି । ହେଲେ ଗଳିକନ୍ଦିରେ ପରିବା ବିକ୍ରୟ କରୁଥିବା ବ୍ୟବସାୟୀ ଆଳୁ କିଲୋ ୩୦ ଟଙ୍କା, ବାଇଗଣ ୭୦ ଟଙ୍କା, ଟମାଟୋ ୭୦ ଟଙ୍କା, କାଙ୍କଡ଼ ୫୦ ଟଙ୍କା ଏବଂ ପୋଟଳ ୫୦ ଟଙ୍କାରେ ବିକ୍ରୟ କରୁଛନ୍ତି । ସୁମନ ସାହୁଙ୍କ କହିବାନୁଯାୟୀ, ବଜାରରେ ପରିବା ଦର ଅଧିକ ରହିବା ଯୋଗୁଁ ସାଧାରଣ ଲୋକଙ୍କ ପକେଟକୁ ବାଧୁଛି । ୟୁନିଟ -୧ ହାଟ ଅପେକ୍ଷା ଦୁଇଗୁଣା ଅଧିକ ଦରରେ ଛୋଟ ବ୍ୟବସାୟୀ ପରିବା ବିକୁଛନ୍ତି । ଦର ନିୟନ୍ତ୍ରଣ ଉପରେ ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଛୋଟ ହାଟ ଏବଂ ଗଳିକନ୍ଦିରେ ପରିବା ବ୍ୟବସାୟୀ ମନଇଚ୍ଛା ଅଧିକ ଟଙ୍କାରେ ପରିବା ବିକ୍ରୟ କରୁଛନ୍ତି ।
ୟୁନିଟ-୧ ପରିବା ମାର୍କେଟ ସଂଘ ସାଧାରଣ ସମ୍ପାଦକ କବିରାଜ ସ୍ବାଇଁ କହିଛନ୍ତି, ବନ୍ୟାରେ ପନିପରିବା ଫସଲ ନଷ୍ଟ ହୋଇଯିବା ଯୋଗୁଁ ରାଜ୍ୟ ଭିତରୁ କିଛି ପରିବା ଆସୁନାହିଁ । ବାହାର ରାଜ୍ୟରୁ ସବୁ ପରିବା ଆମଦାନୀ କରିବାକୁ ପଡୁଛି । ବନ୍ଧାକୋବି ବେଙ୍ଗାଲୁରୁ ଆମଦାନୀ କରିବାକୁ ପଡୁଛି, ସେଠାରେ ବନ୍ଧାକୋବି କିଲୋ ୩୦ ଟଙ୍କାରେ କିଣିବାକୁ ପଡୁଛି । ଗାଡି ଖର୍ଚ୍ଚ ମିଶାଇଲେ କିଲୋ ପିଛା ୫ ଟଙ୍କା ପଡୁଛି । ତେଣୁ ଓଡ଼ିଶା ବଜାରରେ ବନ୍ଧାକୋବି ୪୦ ରୁ ୫୦ ଟଙ୍କାରେ ବିକ୍ରୟ କରାଯାଉଛି । ଅନ୍ୟାନ୍ୟ ପରିବା ଦର ମଧ୍ୟ ବଢିଛି । ଛୋଟ ବ୍ୟବସାୟୀ ୫ ରୁ ୧୦ କିଲୋ ପରିବା ନେଇ ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଛନ୍ତି । ତେଣୁ ଦୁଇଗୁଣା ଅଧିକ ଦରରେ ବିକ୍ରୟ କରୁଛନ୍ତି । ମୁଖ୍ୟତଃ ପିପିଲି, ବାଙ୍କି ଆଦି ଅଞ୍ଚଳରୁ କିଛି ପରିବା ମାର୍କେଟକୁ ଆସିଥାଏ । ଏହି ଅଞ୍ଚଳଗୁଡିକ ବନ୍ୟାରେ ପ୍ରଭାବିତ ହୋଇଛି । ୭୦% ପରିବା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଗତ ୧୫ ଦିନ ହେଲା ଦର ବଢିବା ଆରମ୍ଭ କଲାଣି ।
