ବାଲିଆପାଳରେ ଆତଙ୍କ ଖେଳାଉଛନ୍ତି ପିଲାଚୋର

ବାଲିଆପାଳ : ଗତ କିଛିଦିନ ହେବ ପିଲା ଚୋରିର ଆତଙ୍କ ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷକରି ୩ ବର୍ଷରୁ ୧୧ ବର୍ଷ ପର୍ଯ୍ୟନ୍ତ ଛୋଟ ଛୋଟ ପିଲାମାନଙ୍କୁ ପିଲାଚୋରମାନେ ଟାର୍ଗେଟ କରୁଛନ୍ତି । ଘଟଣାରୁ ପ୍ରକାଶ, ବର୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗ ନେଇ କିଛି ଅଣଓଡ଼ିଆ ପୁରୁଷ ଓ ସ୍ତ୍ରୀଲୋକ ବାଲିଆପାଳ ଅଞ୍ଚଳରେ ପିଲାଚୋରିର ଆତଙ୍କ ସୃଷ୍ଟି କରିଛନ୍ତି । ଗତ ସପ୍ତାହରେ ଜଗାଇ ପଞ୍ଚାୟତର ବଡାଶରେ ଦିନ ଦ୍ୱିପହରରେ ପିଲାଚୋରିକରି ଦୁର୍ବୁତ୍ତ ଧରା ପଡିଥିଲାବେଳେ, ଗତକାଲି ନୂଆଗାଁ ପଞ୍ଚାୟତର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୁତ୍ତ ଛୋଟ ପିଲାଙ୍କୁ ଚକଲେଟ ଦେଉଥିବାର ଦେଖି ଲୋକମାନେ ତାକୁ କାବୁକରି ତା’ର ଠିକଣା ପଚାରିବାରୁ ସେ ପ୍ରଥମେ କଟକ ପରେ ମୁମ୍ବାଇ ତା’ପରେ ହାଇଦ୍ରାବାଦ ଆଦି କହିବାରୁ ସନ୍ଦେହ ଅଧିକ ହୋଇଥିଲା । ପରେ ତା’ ବ୍ୟାଗରୁ କିଛି ମାସ୍କ, ସ୍ପ୍ରେ, ବ୍ଲେଡ଼, ଛୁଞ୍ଚି ଆଦି ଜିନିଷ ଦେଖିବାକୁ ପାଇଥିଲେ ଓ ପିଲାଚୋର ସନ୍ଦେହରେ ବାଲିଆପାଳ ପୋଲିସରେ ଜିମା ଦେଇଥିଲେ । ଠିକ ସମାନ ଧରଣର ଘଟଣା ଆଜି ମଧ୍ୟ ଘଟିଛି ଜଗତିପୁର ପଞ୍ଚାୟତର ଅଦଭୂତିଆ ମାର୍କେଟରେ । ସେଠାରୁ ଆଜି ମଧ୍ୟ ଜଣେ ଅଣଓଡିଶା ସ୍ତ୍ରୀଲୋକକୁ ଲୋକେ ଅଟକ ରଖିଛନ୍ତି । ଦେଖିବା ପାଇଁ ସେମାନେ ଭିକାରି ଭଳି ଲାଗୁଛନ୍ତି ହେଲେ ବାସ୍ତବରେ ତାଙ୍କର ଏକ ଗ୍ୟାଙ୍ଗ ଏହି ଅଞ୍ଚଳରେ ପିଲାଚୋରି ପାଇଁ ପଶିଆସିଥିବାର ଅନୁମାନ କରାଯାଉଛି । ତେବେ ଦେଖିବାକୁ ବାକିରହିଲା ଏହି ଘଟଣା ପରେ ବାଲିଆପାଳ ପୋଲିସ କି ପନ୍ଥା ଆପଣାଉଛି ।

Leave a Reply

Your email address will not be published. Required fields are marked *