ଅସହ୍ୟ ଯନ୍ତ୍ରଣାରେ ଦେଢ଼ ବର୍ଷର ଶିଶୁ କନ୍ୟା, ବୟସ ବଢ଼ିବା ସହିତ ମୁହଁରେ ବଢୁଛି ମାଂସ ପିଣ୍ଡୁଳା

ନବରଙ୍ଗପୁର : ଅସହ୍ୟ ଯନ୍ତ୍ରଣାରେ ଦେଢ଼ ବର୍ଷର ଶିଶୁ କନ୍ୟା । ବୟସ ବଢ଼ିବା ସହିତ ମୁହଁରେ ବଢୁଛି ମାଂସ ପିଣ୍ଡୁଳା । ମାଂସ ପିଣ୍ଡୁଳା ଦିନକୁ ଦିନ ବଢୁଥିବାବେଳେ ଶିଶୁ କନ୍ୟାର ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ତେବେ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଚିକିତ୍ସା କରିବେ କ’ଣ ଚିକିତ୍ସା କରିବା ପାଇଁ ସାହାସ ମଧ୍ୟ ଜୁଟାଇ ପାରୁନାହାନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ଅମଳିଯୋଡ଼ି ଗାଁର ନିଳାମ୍ବର ଗୌଡ଼ ଏବଂ ପଦ୍ମିନୀ ଗୌଡ଼ଙ୍କ ସାନ ଝିଅ ଧନାଇ ଗୌଡ଼ ।

ଜୀବନ କ’ଣ ଜାଣେ ନାହିଁ ତଥାପି କଅଁଳ ବୟସରେ ସହୁଛି ଅସହ୍ୟ ଯନ୍ତ୍ରଣା । କଥା ସିନା କହିପାରୁନାହିଁ, କିନ୍ତୁ ଝିଅର ସବୁ କଷ୍ଟ ଅନୁଭବ କରିପାରୁଛି ମା । ଧନାଇକୁ ଜନ୍ମ ବେଳରୁ ହିଁ ଆଖି ଓ ନାକ ମଝିରେ ଏକ ଛୋଟ ଫୁଟୁକା ଭଳି ବାହାରି ଥିଲା ଏବଂ ଶିଶୁ କନ୍ୟାର ଯେମିତି ବୟସ ବଡ଼ିବାରେ ଲାଗିଲା ଠିକ ସେହିପରି ମାଂସ ପିଣ୍ଡୁଳାଟି ଅସହାୟ ଭାବେ ବଢ଼ିଲା । ଏହିପରି ଭାବରେ ଧୀରେ ଧୀରେ ମାଂସ ପିଣ୍ଡୁଳା ବଡ଼ ହେବାରେ ଲାଗିଲା, ତେବେ ପରିବାର ଶିଶୁ କନ୍ୟାର ୮ ମାସ ବେଳକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇବା ପରେ ସେଠାରେ ଡାକ୍ତର କଟକ ବଡ଼ ମେଡିକାଲକୁ ନେବା ପାଇଁ ପରାମର୍ଶ ଦେଲେ, କିନ୍ତୁ ନିଳାମ୍ବର ଗୌଡ଼ ପାଖରେ କିଛି ନଥିବା ଯୋଗୁଁ ଚିକିତ୍ସା ପାଇଁ ପ୍ରସାଶନ ପାଖରେ ଗୁହାରି କରିଥିଲେ । ପ୍ରଶାସନ ମଧ୍ୟ ଶିଶୁ କନ୍ୟାର ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇ ଶିଶୁ କନ୍ୟାକୁ କଟକ ବଡ଼ମେଡିକାଲ ନେଇ ଡାକ୍ତରଙ୍କୁ ଦେଖାଇ ଥିଲେ । କିନ୍ତୁ ଧନାଇର ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିବାବେଳେ ଶିଶୁ କନ୍ୟାର ବୟସ ହୋଇ ନଥିବା ଯୋଗୁଁ ଡାକ୍ତର ଶିଶୁ କନ୍ୟାକୁ ଅସ୍ତ୍ରୋପଚାର ବର୍ତ୍ତମାନ କରି ହେବ ନାହିଁ ବୋଲି କହିବା ସହ ଶିଶୁ କନ୍ୟାର ଗୋଟେ ବର୍ଷ ହେଲା ପରେ ଅସ୍ତ୍ରୋପଚାର ହୋଇପାରିବ ବୋଲି କହିଥିଲେ ।

ତେବେ ସେତେବେଳେ ପ୍ରଶାସନ ନେଇ କେବଳ ଡାକ୍ତରଙ୍କୁ ଦେଖାଇ ଥିଲେ, କିନ୍ତୁ ଅନ୍ୟ ସବୁ ଖର୍ଚ୍ଚ ପାଇଁ ନିଜେ ଖର୍ଚ୍ଚ କରିଥିବା କହିଥିବା ବେଳେ ନିଜର ଚାଷ କାର୍ଯ୍ୟରେ ଲଗାଉଥିବା ଦୁଇଟି ବଳଦକୁ ଦଶ ହଜାର ଟଙ୍କାରେ ବିକ୍ରି କରିଥିବା କହିଛନ୍ତି ପରିବାର । ବର୍ତ୍ତମାନ ଶିଶୁ କନ୍ୟାର ବୟସ ଦେଢ଼ ବର୍ଷ ହୋଇଥିଲେ ମଧ୍ୟ ଚିକିତ୍ସା କରିବା ତ ଦୂରର କଥା ଚିକିତ୍ସା କରିବା ପାଇଁ ସାହାସ ଜୁଟାଇ ପାରୁନଥିବା ବେଳେ, ପ୍ରଥମ ଚିକିତ୍ସା କରିବା ପାଇଁ ବଳଦ ଥିବାରୁ ବିକ୍ରି କରି ଯାଇଥିଲୁ ଏବେ ମୋ ପାଖରେ କିଛି ନାହିଁ କିପରି ଚିକିତ୍ସା କରିବେ ବୋଲି କହିଛନ୍ତି ଶିଶୁ କନ୍ୟାର ବାପା ନିଳାମ୍ବର ଗୌଡ଼ ।

ତେବେ ଶିଶୁ କନ୍ୟା ଧନାଇର ଆଖି ଓ ନାକ ମଝିରେ ବେଲୁନ ଭଳି ମାଂସ ପିଣ୍ଡୁଳା ଝୁଲି ରହିଛି । ଯାହା ଫଳରେ ଶିଶୁ କନ୍ୟା ଭଲ ଭାବରେ ଦେଖି ପାରୁଛି ନା ଭଲ ଭାବରେ ଖାଇ ପାରୁଛି । ମାଂସ ପିଣ୍ଡୁଳାଟି ବଢ଼ି ଆଖି ଓ ନାକ ଚାପି ହେଉଥିବାବେଳେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ବହୁତ କଷ୍ଟ ଅନୁଭବ କରୁଥିବା କହିଛନ୍ତି ଶିଶୁ କନ୍ୟାର ମା ।

ଅନ୍ୟ ପଟେ ପ୍ରଶାସନ ଶିଶୁ କନ୍ୟାକୁ ଚିକିତ୍ସା କରିବାର ପ୍ରତିଶୃତି ଦେଇ କେବଳ ଗୋଟେ ଥର କଟକ ମେଡିକାଲକୁ ନେଇ କାମ ସାରିଦେଇଥିବା ବେଳେ ଗୋଟେ ବର୍ଷ ହେଲା ପରେ ଶିଶୁ କନ୍ୟାକୁ ହେବାକୁ ଥିବା ଅସ୍ତ୍ରୋପଚାର କଥା ମଧ୍ୟ ଭୁଲି ଯାଇଛି । ତେବେ ଏ ସମ୍ପର୍କରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେରଙ୍କୁ ପଚାରିବରୁ ଏହି ବିଷୟକୁ ନେଇ ଜିଲ୍ଲାପାଳଙ୍କୁ ଜଣାଇବା ସହ ଯାହା ନିର୍ଦ୍ଦେଶ ମିଳିବ ସେହି ଅନୁସାରେ ସାହାଯ୍ୟ ସହଯୋଗ କରାଯିବ ବୋଲି କହିଛନ୍ତି ।

ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଗଣା ଚିକିତ୍ସା କରାଯାଉଛି ବୋଲି ପ୍ରସାର ପ୍ରଚାର କରୁଛନ୍ତି ତେବେ ଏତେ ପ୍ରଚାର ପ୍ରସାର ପରେ ମଧ୍ୟ ଚିକିତ୍ସା କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ଗରିବ ଲୋକମାନେ । ତେବେ ଜିଲ୍ଲା ପ୍ରସାଶନ ଗରିବ ନିଳାମ୍ବର ଗୌଡ଼ଙ୍କ ଝିଅ ଧନାଇ ଗୌଡ଼କୁ ଆର୍ଥିକ ସହାୟତା ଦେବା ସହ ଚିକିତ୍ସା କରାଇଲେ ଧନାଇ ଅସହାୟ ଯନ୍ତ୍ରଣାରୁ ମୁକ୍ତି ପାଇ ସ୍ୱାଭାବିକ ଜୀବନରେ ବଞ୍ଚିଥାନ୍ତା ।

Leave a Reply

Your email address will not be published. Required fields are marked *