ଚୌଦ୍ୱାର : ଟାଟା ପାୱାରର ଅବହେଳା ଓ ମନମୁଖୀ କାର୍ଯ୍ୟ ପାଇଁ ଚୌଦ୍ୱାର ଅଞ୍ଚଳରେ ବିଦ୍ୟୁତ୍ ବିତରଣ କାର୍ଯ୍ୟ ଅବ୍ୟବସ୍ଥିତ ହୋଇପଡ଼ିଲାଣି । ବିଦ୍ୟୁତ୍ ତାର ଓ ଖୁଣ୍ଟ ମରାମତି ନାମରେ କମ୍ପାନୀ ତରଫରୁ ପ୍ରତି ମାସରେ ଅନେକ ଥର ସାରା ଦିନ ବିଦ୍ୟୁତ୍ କାଟ କରାଯାଉଥିବାବେଳେ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଓହଳି ରହି ଜନସାଧାରଣ ଓ ଗୋରୁ ଗାଈଙ୍କ ଜୀବନ ପ୍ରତି ବିପଦ ସୃଷ୍ଠି କରିଛି । କିଛି ସ୍ଥାନରେ ବିଦ୍ୟୁତ୍ ତାର ରାସ୍ତାକୁ ଛୁଇଥିବା ଦେଖିବାକୁ ମିଳିଛି । ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହି ମଙ୍ଗଳା ମନ୍ଦିର ପଛପାଖ ରାସ୍ତାରେ ଖୁଣ୍ଟିରୁ ତାର ଓହଳି ମାଟିକୁ ଲାଗିବାକୁ ବସିଲାଣି । ଏହି ତାର କେଉଁ ମୁହୁର୍ତ୍ତରେ ଲୋକଙ୍କ ଘର ଉପରେ ପଡ଼ିବ ତାହା କହି ହେଉନାହିଁ । ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ଅଫିସରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ ତାର ସଜଡ଼ା ଯିବବୋଲି ସ୍ଥାନୀୟ ବାସିନ୍ଦାମାନଙ୍କୁ ବିଭାଗୀୟ ଅଧିକାରୀମାନେ ପ୍ରତିଶ୍ରୁତି ଦେଇ ପର ମୁହୁର୍ତ୍ତରେ ନିଜ ଦାୟିତ୍ୱ ଭୁଲିଯାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ସାମନ୍ୟ ବର୍ଷା ହେଲେ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ଦିଆଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପଟେ ବିଦ୍ୟୁତ୍ ଦେୟ ପୈଠ କରିବାରେ ଯଦି କେହି ହେଳା କରୁଛି ତେବେ ତୁରନ୍ତ ତାର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଉଥିବା ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଚୌଦ୍ୱାର ରୂପଯାତ୍ରା ପାଇଁ ପ୍ରସ୍ତୁତି ନାମରେ ଟାଟା ପାୱାର ତରଫରୁ ଆଜକୁ ଏକ ମାସ ହେଲା ବାରମ୍ବାର ଦୀର୍ଘ ସମୟ ଧରି ଲାଇନ୍ କାଟି ଦିଆଯାଉଥିବାରୁ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଅଫିସଗୁଡ଼ିକରେ କାର୍ଯ୍ୟ ବ୍ୟାହତ ହେବା ସହିତ ଚୌଦ୍ୱାରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ପ୍ରକାର ଅବ୍ୟବସ୍ଥାକୁ ଯଦି ତୁରନ୍ତ ସଜଡ଼ା ନଯାଏ, ତେବେ ଟାଟା ପାୱାର ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
