ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନିଶା ସେବନ ଓ ନିଶାଦ୍ରବ୍ୟ କାରବାରରେ ରାଜ୍ୟର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଗତ ୪ ବର୍ଷ ଧରି ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରଭାବ ପଡ଼ିଲା ଭଳି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ମଦ, ଗଞ୍ଜେଇ ଓ ବ୍ରାଉନ୍ସୁଗାର୍ ଭଳି ମାଦକଦ୍ରବ୍ୟର ବିକ୍ରି ଓ ବ୍ୟବହାର ଏବେ ଖୁଲମଖୁଲା ଚାଲୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିୟମିତ ଭାବେ ବିପୁଳ ପରିମାଣରେ ଗଞ୍ଜେଇ, ବ୍ରାଉନ୍ସୁଗାର, ଦେଶୀମଦ ଆଦି ଜବତ ହେଉଛି । କେବଳ ଏତିକି ନୁହେଁ, ନୟାଗଡ଼, ଗଞ୍ଜାମ, ଫୁଲବାଣୀ, ବୌଦ୍ଧ, ପୁରୀ ଆଦି ଅଞ୍ଚଳକୁ ଏହି ସ୍ଥାନରୁ ବ୍ରାଉନ୍ସୁଗାର୍ ଚାଲାଣ ହେଉଥିବାର ଅଭିଯୋଗ ଆସିଛି । ଏହି ସମସ୍ତ ତଥ୍ୟ ରାଜ୍ୟ ପ୍ରଶାସନ ନିକଟରେ ରହିଥିଲେ ମଧ୍ୟ ଏଭଳି ଏକ ସାଂଘାତିକ ସ୍ଥିତିର ନିୟନ୍ତ୍ରଣ ପାଇଁ କୌଣସି ଉଦ୍ୟମ କରାଯାଉନାହିଁ ।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଗତ ୪ ବର୍ଷର ତଥ୍ୟାନୁସାରେ, ଖୋର୍ଦ୍ଧାରେ ନିଶାଖୋରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ୨୦୧୭-୧୮ ବର୍ଷରେ ୭୭୯ ଜଣ ନିଶାଖୋରଙ୍କୁ ଚିହ୍ନଟ କରାଯାଇଥିଲା । ୨୦୧୮-୧୯ ରେ ଏହା ବୃଦ୍ଧି ପାଇ ୧୧୬୩ ରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ ୭୧୫ ଜଣଙ୍କୁ ନିଶା ନିବାରଣ କେନ୍ଦ୍ର ଦ୍ବାରା ନିଶାମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ୨୦୨୧-୨୨ ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୧୩୪ ରେ ପହଞ୍ଚିଛି । ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଏହି ୨୧୩୪ ଜଣଙ୍କ ମଧ୍ୟରୁ ୯୭୬ ଜଣ ମଦ, ୨୯୫ ଜଣ ଗଞ୍ଜେଇ ଓ ଭାଙ୍ଗ, ୧୪ ଜଣ ଅଫିମ, ୩୬୧ ଜଣ ବ୍ରାଉନ୍ସୁଗାର୍, ୧୧୬ ଜଣ କୋରସ୍, ଫେଭିକୁଇକ୍ ଓ ଅନ୍ୟ ମାଦକଦ୍ରବ୍ୟର ସେବନ କରିଥିବା ଜଣାପଡ଼ିଛି । ଯେଉଁମାନେ ନିଶା ନିବାରଣ କେନ୍ଦ୍ରକୁ ଆସିନାହାନ୍ତି ସେମାନଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ନିରୂପଣ କରାଯାଇନାହିଁ ।
କେବଳ ଖୋର୍ଦ୍ଧା ସହରକୁ ତର୍ଜମା କଲେ ଏକ ସ୍ବେଚ୍ଛାସେବୀ ସଂସ୍ଥାର ତଥ୍ୟାନୁସାରେ, ଖୋର୍ଦ୍ଧା ସହରର ୧୫ ରୁ ୪୫ ବର୍ଷ ମଧ୍ୟରେ ୧୮ ହଜାର ଲୋକ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ ହଜାର ବ୍ୟକ୍ତି ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି । ଏହାର ସତ୍ୟତା ଖୋର୍ଦ୍ଧାର ୪ଟି ନିଶା ନିବାରଣ କେନ୍ଦ୍ରର ତଥ୍ୟରୁ ଆପାତତଃ ସ୍ପଷ୍ଟ ହେଉଛି । କାରଣ କେବଳ ଗୋଟିଏ ବର୍ଷ(୨୦୨୧–୨୨)ରେ ଖୋର୍ଦ୍ଧା ଜିଲ୍ଲାର ୨୨୪୪ ଜଣ ବ୍ୟକ୍ତି ନିଶା ସେବନ ଦ୍ବାରା ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହେଉଥିବା ବେଳେ, ୧୬୭୨ ଜଣ ପାରିବାରିକ ପରାମର୍ଶ(ଫ୍ୟାମିଲି କାଉନ୍ସିଲିଂ ପ୍ରୋଗ୍ରାମ)ରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ପ୍ରଶାସନ, ସହରର ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ପକ୍ଷରୁ ଏ ଦିଗରେ ଏବେଠାରୁ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଖୋର୍ଦ୍ଧାର ପରିସ୍ଥିତି ସାଂଘାତିକ ହେବ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରୟା ପ୍ରକାଶ ପାଇଛି ।
