ବାଲିଆପାଳ ପଞ୍ଚାୟତ ସମିତି ଦ୍ୱିତୀୟ ବୈଠକ ଅନୁଷ୍ଠିତ

ବାଲିଆପାଳ : ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ବାଲିଆପାଳ ପଞ୍ଚାୟତ ସମିତିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲେଶ୍ଵର ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବିଡ଼ିଓ ଦାୟିତ୍ୱରେ ଥିବା ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ୨୪ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ବାବାଜୀ ଦେହୁରୀ, ୨୩ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ବେଣୁଧର ଜେନା, ୨୨ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ନିଶାକର ସେଠୀ, ୨୧ ନମ୍ବର ଜୁନର ଜିଲ୍ଳା ପରିସଦ ସଦସ୍ୟା କାଞ୍ଚନ ବାଳା ଜେନାଙ୍କ ସହିତ ସମସ୍ତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟଙ୍କ ସହିତ ବ୍ଲକର ସମସ୍ତ ଲାଇନ ଡିପାଟମେଣ୍ଟର ଅଫିସର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଜିପିଓ ରାମଚନ୍ଦ୍ର ମାରାଣ୍ଡି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଉକ୍ତ ବିବରଣୀ ପାଠରେ ପ୍ରଥମ ବୈଠକରେ ଆଲୋଚନା ହୋଇଥିବା ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ବିଷୟରେ ବିବରଣୀ ପୁସ୍ତିକାରେରେ ଲିପିବଦ୍ଧ ହୋଇନଥିବା ନେଇ ଜଗତିପୁର ପଞ୍ଚାୟତର ସଦସ୍ୟ ଶାନ୍ତନୁ ମହାପାତ୍ର ଅଭିଯୋଗ କରିଥିଲେ । ସିସି ରୋଡ ସିମୁଳିଆ ରାଜାରାଣୀ ଛକରୁ ସିମୁଳିଆ ବଜାରକୁ ରାସ୍ତାର କାର୍ଯ୍ୟ ସମାପନ ହୋଇଥିଲେ ମଧ୍ଯ ଆଜିଯାଏ ଅନଲାଇନ ପଞ୍ଜିକରଣ ହୋଇନଥିବାରୁ ବିଲ ପାଉନଥିବା ନେଇ ମଧୁପୁରା ପଞ୍ଚାୟତର ସଦସ୍ୟ ସୁଶାନ୍ତ ସେଠି ଅଭିଯୋଗ କରିଥିଲେ । ରେସନ ତାଲିକା ସଂଯୋଗ ବିଷୟରେ ଆଲୋଚନାରେ ୪୦୦ ଲୋକ ରେସନ କାର୍ଡ ପାଇପାରିବାର ସୁବିଧା ଥିବା ବେଳେ ନୂଆ ସଂଯୋଗ ହୋଇପାରି ନାହିଁ କାହିଁକି ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା । ଘଣ୍ଟୁଆ ପଞ୍ଚାୟତର ସରପଞ୍ଚ ସୁଶିଲ ପ୍ରଧାନ ମୃତ ଲୋକଙ୍କ ତାଲିକା ପ୍ରସ୍ତୁତ କରି ରେଶନରୁ ବାଦ କରିବାକୁ ପ୍ରସ୍ତାବ ଦେଇଥିଲେ । ରେସନ ନେଉଥିବା ହିତାଧିକାରୀଙ୍କର ଚାଉଳ ଏକ କିଲୋ ଡିଲର କାଟୁଥିଲେ ଏ ବିଷୟରେ ପୋଲିସକୁ ଖବର ଦେଲେ ଡିଲର ଆରେଷ୍ଟ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଏ ସମସ୍ତ ବିଷୟରେ ତୁରନ୍ତ ଆଲୋଚନା କରିବାକୁ ଶ୍ରୀ ଷଡଙ୍ଗୀ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ ଆସିଥିବା ଏକ କୋଟି ଟଙ୍କାକୁ ୨୮ ପଞ୍ଚାୟତରେ ସମାନ ଭାବରେ ବଣ୍ଟନ କରାଯିବା କଥା ଆଲୋଚନା ହୋଇଥିଲା । ମଧୁପୁରା ଡଗରା ପୂର୍ତ୍ତ ବିଭାଗ ରାସ୍ତାକୁ ଠିକାଦାରଙ୍କ କାର୍ଯ୍ୟ ବନ୍ଦ କରି ସଞ୍ଚୟ ଦୃଷ୍ଟିରୁ ବନ୍ଦରକୁ ଦିଆଯାଉଥିବାରୁ ରାସ୍ତାର କାର୍ଯ୍ୟ ଅନିଶ୍ଚିତତା ବିଷୟରେ ପ୍ରଶ୍ନ ଉଠାଇ ଥିଲେ । ଏହାଛଡ଼ା ଡଗରା ବାତ୍ୟା ଆଶ୍ରୟ ସ୍ଥଳୀକୁ ଭଡ଼ା ଦିଆଯାଉଥିବା କଥା ସରପଞ୍ଚ ସତ୍ୟାନନ୍ଦ ମହାନ୍ତି କହିଥିଲେ । ଏମପି ଉକ୍ତ ବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ବୈଠକ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *