କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ବେଆଇନ ଭାବେ ଗଢି ଉଠିଥିବା ମାଟି ଇଟା ଭାଟି ଯୋଗୁଁ ଏବେ ପ୍ରଦୂଷଣ ବଢ଼ୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । କାମାକ୍ଷାନଗର ସହର ଉପକଣ୍ଠର ରାମିଆଳ ନଦୀ ତଟ, ଆଲତୁମା, ଯନ୍ତରିବୋଲ ଆଦି ସ୍ଥାନରେ ବେଆଇନ ଭାବେ ମାଟି ଇଟା ଭାଟି ଗଢି ଉଠିଛି । ଏହା ଫଳରେ ଧୂଆଁରେ ଅଚ୍ଛାଦିତ ହେଇଯାଉଛି ଆଖପାଖ ଅଞ୍ଚଳ । ବେଆଇନ ଭାବେ ଗଢି ଉଠିଥିବା ଇଟା ଭାଟିରେ ନଦୀ ମାଟି ସଂଗ୍ରହ କରି ଇଟା ତିଆରି କରୁଥିବାବେଳେ ଜଙ୍ଗଲରୁ କାଠ ସଂଗ୍ରହ କରି ଇଟା ଭାଟି ପୋଡାଯାଉଛି ।
ଫଳରେ ନଦୀ ପଠାରେ ଥିବା ମାଟି ଉଠାଇ ଆଣୁଥିବାରୁ ନଦୀ ଶଯ୍ୟା ବଢ଼ିବାରେ ଲାଗୁଛି । ଯାହା ଦ୍ୱାରା ନଦୀକୂଳ ଖାଇ ସଂନିକଟ ଗ୍ରାମର କ୍ଷତି ହେବା ସମ୍ଭାବନା ରହିଛି । ପୁଣି ଜଙ୍ଗଲରୁ ବଡ ବଡ ଗଛ କଟାଯାଇ ଭାଟି ପୋଡୁଥିବାରୁ ବର୍ତ୍ତମାନ ସମୟରେ ଜଙ୍ଗଲ ଅବକ୍ଷୟ ବଢ଼ିବାରେ ଲାଗିଛି । ମୁଖ୍ୟତଃ ଯନ୍ତାରିବୋଲ ଠାରେ ଏକ ଚିମିନି ବସାଯାଇ ସେଠାରେ ଲକ୍ଷ୍ୟ ଲକ୍ଷ୍ୟ ମାଟି ଇଟା ପ୍ରସ୍ତୁତ କରି କାମାକ୍ଷାନଗର ସହର ତଥା ଆଖପାଖ ଗ୍ରାମରେ ବିକ୍ରି କରାଯାଉଥିବା ଜଣାଯାଇଛି । ସରକାରଙ୍କ ବିଭିନ୍ନ ଯୋଜନାରେ ଜଙ୍ଗଲ ସୃଷ୍ଟି କରାଯାଉଥିବାବେଳେ କେତେକ ଇଟା ଭାଟି ମାଲିକ ଜଙ୍ଗଲ ଅବକ୍ଷୟରେ ଲାଗି ପଡିଛନ୍ତି ।
ପୁଣି ସରକାରଙ୍କ ପକ୍ଷରୁ ବ୍ୟାଙ୍କ ସହାୟତାରେ ପାଉଁଶ ଇଟା କାରଖାନା ବସାଇ ବେକାରୀ ସମସ୍ୟା ଦୂରୀଭୂତ କରିବା ସହିତ ପରିବେଶ ପ୍ରଦ୍ୟୁଷଣ ରୋକିବା ସକାଶେ ଚେଷ୍ଟା କରାଯାଉଛି । ଏହି ମାଟି ଇଟା ପ୍ରସ୍ତୁତ କରୁଥିବାରୁ ପାଉଁଶ ଇଟା କାରଖାନା ଯୁବ ବ୍ୟବସାୟୀମାନେ ଇଟା ବିକ୍ରି କରି ନପାରି ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବା ଏବେ କଷ୍ଟକର ହୋଇ ପଡ଼ିଲାଣି । ଏପରି ଅଭିଯୋଗ କ୍ରମେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଥିଲେ ହେଁ ମାଟି ଇଟା ଭାଟିର ମାଲିକମାନେ ବେଧଡ଼କ ଇଟା ପ୍ରସ୍ତୁତ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ପାଉଁଶ ଇଟା କାରଖାନାର ଯୁବ ମାଲିକମାନେ ଉପକୃତ ହେବା ସହିତ ଜଙ୍ଗଲ ଅବକ୍ଷୟ ରୋକାଯାଇ ପାରିବ ବୋଲି ସହରର ସଚେତନ ନାଗରିକ ମହଲରେ ଦୃଢ଼ ଦାବି ହୋଇଛି ।
