ଉଦଳା : କଥା କହିଲେ ଜୋତାରେ ମାଡ ଖାଇବୁ । କଲେଜ ପ୍ରିନ୍ସିପାଲ ଏବଂ ଅଧ୍ୟାପକ ମିଶି ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଶିକ୍ଷାନୁଷ୍ଠାନ ଭିତରେ ସିଧାସିଧା ଦେଉଛନ୍ତି ଏଭଳି ଧମକ । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଧ୍ୟାପକ । ଆଉ କଲେଜ ଭିତରେ ଚାଲିଥିବା ପ୍ରିନ୍ସିପାଲଙ୍କ ମେରୀ ରାୟ ନୀତି ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା କଲେଜରେ । ଉଦଳା କଲେଜର ବରିଷ୍ଠ ଅଧ୍ୟାପକ ଆଲୋକ ପ୍ରଧାନ ନ୍ୟାୟ ପାଇଁ ଥାନାର ହୋଇଛନ୍ତି ଦ୍ୱାରସ୍ଥ ।
ଅଗଷ୍ଟ ମାସ ଶେଷ ସପ୍ତାହରେ ପରୀକ୍ଷା ଚାଲିଥିବା ବେଳେ ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ପରୀକ୍ଷା ନିରୀକ୍ଷକ ଦାୟିତ୍ୱ ଦିଆଯାଇଥିଲା । ପରୀକ୍ଷା କକ୍ଷରେ ଛାତ୍ରଛାତ୍ରୀଙ୍କ ତୁଳନାରେ ପରୀକ୍ଷା ନିରୀକ୍ଷକଙ୍କ ସଂଖ୍ୟା କମ୍ ଥିବାରୁ ସେ ପରୀକ୍ଷା ବିଭାଗର କିରାଣୀ ଏବଂ ପ୍ରିନ୍ସିପାଲଙ୍କୁ ମଧ୍ୟ ସମସ୍ୟା ବାବଦରେ ଜଣାଇଥିଲେ । ହେଲେ ଏହି ସମସ୍ୟା ଜଣାଇବାର କିଛି ଦିନ ପରେ ପ୍ରିନ୍ସିପାଲ ଗୋପାଳ ଚନ୍ଦ୍ର ବେହେରା ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ଶ୍ରେଣୀ କକ୍ଷକୁ ଡାକିଥିବା ବେଳେ ସେଠାରେ ଅନ୍ୟ ଦୁଇ ଅଧ୍ୟାପକ ଭୋଳାନାଥ ସାହୁ, ଗିରିଶ ଚନ୍ଦ୍ର ପୁଥାଳ ଉପସ୍ଥିତ ରହିଥିଲେ ଏବଂ ପ୍ରିନ୍ସିପାଲ ପରୀକ୍ଷା ଦିନର ଘଟଣା ବାବଦରେ ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ପଚାରିଥିବା ବେଳେ ହଠାତ୍ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଅଧ୍ୟାପକ ଭୋଳାନାଥ ସାହୁ ଏବଂ ଗିରିଶ ଚନ୍ଦ୍ର ପୁଥାଳ ଆରମ୍ଭ କରିଥିଲେ ହାକିମାତି ।
ଅଧ୍ୟାପକ ଆଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୋତାରେ ମାଡ ମାରି ଜବଦ କରିଦେବେ ବୋଲି କହିଥିଲେ । ପ୍ରିନ୍ସିପାଲ ଏସବୁ କାହାଣୀ ଦେଖୁଥିଲେ ସୁଦ୍ଧା କିଛି କହି ନଥିଲେ । ଏପରିକି ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ନାନାଦି ଅଶାଳୀନ ମନ୍ତବ୍ୟ ଦେବା ସହିତ ଆମେ ଯାହା କହୁଛୁ ସେହି ଅନୁସାରେ କାର୍ଯ୍ୟ କର ବୋଲି କହିଥିଲେ ପ୍ରିନ୍ସିପାଲ ଏବଂ ଅନ୍ୟ ଦୁଇ ଅଧ୍ୟାପକ । ଏହି ଘଟଣା କଲେଜ ପରିସରରେ ଘଟିବା ପରେ ଏ ନେଇ ଆଲୋକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ସବୁଠାରୁ ବଡ କଥା କଲେଜ ଭଳି ପବିତ୍ର ସ୍ଥାନରେ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ସମସ୍ତଙ୍କ ସାମ୍ନାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଜୋତାରେ ମାଡ ମାରିବା କଥା କହିବା ନିଶ୍ଚିତ ଭାବେ ସମ୍ବେଦନଶୀଳ । ହେଲେ ଏ ବାବଦରେ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ଆଗରେ କିଛି କହିପାରିବେନି ଏବଂ ତାଙ୍କର ଅନେକ କାମ ଅଛି କହି ଖସି ଚାଲିଯାଇଛନ୍ତି ।
