କୋରାପୁଟ : ବିଦେଶ ଯିବ କୋରାପୁଟ ହଳଦୀ ସାବୁନ । ଯାହା ଏବେ ଚର୍ଚ୍ଚାରେ ରହିଛି । ଆମେରିକା ଯିବ କୋରାପୁଟ ହଳଦୀ ସାବୁନ । ଆଜ୍ଞା ହଁ, କୋରାପୁଟରେ ଉତ୍ପାଦିତ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ବିଭିନ୍ନ ରାଜ୍ୟରେ ଆଦୃତି ଲାଭ କରିଥିବାବେଳେ ଏହା ଆହୁରି ପାଦେ ଆଗକୁ ବଢ଼ିଛି । ହଳଦୀ ସାବୁନ ବର୍ତ୍ତମାନ ଆମେରିକାକୁ ରପ୍ତାନି ହେବ । ବିଦେଶରେ କୋରାପୁଟ ହଳଦୀ ସାବୁନ ବିକ୍ରି ହେଲେ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବା ସହ ପ୍ରସ୍ତୁତକାରୀ ମହିଳାମାନଙ୍କୁ ଏହା ଉତ୍ସାହିତ କରିବ । ସେଣ୍ଟ୍ରାଲ ଆମେରିକା ଗ୍ୱାତେମାଲା ରାଜ୍ୟକୁ ଏହା ପଠାଯିବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।
ଓରମାସର ରୋଶନ କୁମାର କାର୍ତ୍ତିକ କହିଛନ୍ତି, ଆମେରିକାର ଗ୍ୱାତେମାଲା ରାଜ୍ୟରେ କୋରାପୁଟ ହଳଦୀ ସାବୁନର ଚାହିଦା ବେଶ ରହିଛି । ଏଥିପାଇଁ ଚଳିତବର୍ଷ ଏହା ରତ୍ପାନୀ କରାଯିବ । ଫଳରେ ଜିଲ୍ଲାର ବନଜାତ ଦ୍ରବ୍ୟକୁ ସ୍ୱତନ୍ତ୍ର ପରିଚୟ ମିଳିବା ସହ ପ୍ରସ୍ତୁତକାରୀ ମହିଳାମାନେ ଉତ୍ସାହିତ ହେବେ । ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପରୀକ୍ଷା ମୂଳକ ଭାବେ କିଛି ସାବୁନ ଏଠାରୁ ପଠାଯାଇଥିଲା । ସେଠାରେ ଏହାର ଚାହିଦା ରହିଥିବାରୁ ବ୍ୟସାୟିକ ବ୍ୟବସ୍ଥା ଆରମ୍ଭ କରାଯିବ । ଏଥିପାଇଁ ପ୍ରସ୍ତୁତକାରୀ ସ୍ୱୟଂସହାୟକ ଗୋଷ୍ଠୀ ବେଶ ଖୁସି ଅଛନ୍ତି ।
ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପ୍ରତିବର୍ଷ ପ୍ରାୟ ୧ ହଜାର ମେଟ୍ରିକ ଟନ୍ ହଳଦୀ ଉପାଦନ ହେଉଛି । ପ୍ରଶାସନର ଉଦ୍ୟମରେ ଜିଲ୍ଲାର ବିଭିନ୍ନ ସାମଗ୍ରୀକୁ ମୂଲ୍ୟଭିତ୍ତିକ ଓ ସମୟ ଉପଯୋଗୀ ଭାବେ ତିଆରି କରାଯାଇ ଖୋଲା ବଜାରରେ ବିକ୍ରି ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରେ ଚଣ୍ଡିଗଡ, ପଞ୍ଚାବ, ରାଜସ୍ଥାନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ହଳଦୀ ସାବୁନ ଏବେ ରପ୍ତାନି ହେଉଥିବା ଜଣାପଡିଛି ।
