ବାଲିଆପାଳ : ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ରାମନଗର ରସଲପୁର ଗ୍ରାମର ଶିତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡି କେନ୍ଦ୍ରକୁ ବିରୋଧ କରି କାମ ବନ୍ଦ କଲେ ଗ୍ରାମର ଶତାଧିକ ମହିଳାମାନେ । ଘଟଣାରୁ ପ୍ରକାଶ ଯେ ରାମନଗର ରସଲପୁର ଗ୍ରାମରେ ରହିଛି ତିନୋଟି ଅଙ୍ଗନୱାଡି କେନ୍ଦ୍ର ।

ଦୁଇଟି ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ ହୋଇସାରିଥିବା ବେଳେ ବାକିଥିବା ତୃତୀୟ ଅଙ୍ଗନୱାଡି କେନ୍ଦ୍ରର ଗୃହ ଗ୍ରାମର ଶିତଳା ଠାକୁରାଣୀ ମନ୍ଦିର ପରିସରରେ କରିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ସହିତ ଗ୍ରାମର ଅଳ୍ପ କେଇଜଣ ବ୍ୟକ୍ତି ଜୋର ଜବରଦସ୍ତ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଏହି କାର୍ଯ୍ୟକୁ ଗ୍ରାମର ୯୦ ଭାଗ ଲୋକ ବିରୋଧ କରି ଆସୁଥିଲେ । ଏନେଇ ଗ୍ରାମର ଧୀରେନ୍ଦ୍ର ନାଥ ସାହୁ, ଗୋପାଳକୃଷ୍ଣ ବାରିକ, ସନ୍ୟାସୀ ସାହୁ, ବୈକୁଣ୍ଠ ସାହୁ, ମୁରଲୀ ଚନ୍ଦ, ବାଞ୍ଛାନିଧି ସାହୁ, କମଳିନୀ ସାହୁ, ସ୍ନେହଲତା ସାହୁ, ମିନତୀ ଦେ, ସାବିତ୍ରୀ ବାରିକ, ବିଜୟ କୁମାର ପାତ୍ର, ଗୟାରାମ ଜେନାଙ୍କ ସହିତ ବହୁ ଗ୍ରାମବାସୀମାନେ ଶିତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡି ଘର ହେଲେ ମନ୍ଦିରର ପବିତ୍ରତା ନଷ୍ଟ ହେବ ।ତେଣୁ ମନ୍ଦିର ପରିସରରେ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ କରା ନଯାଇ ଅନ୍ୟତ୍ର କରାଯାଉ ବୋଲି ଦାବି କରି ଜିଲ୍ଲାପାଳ, ବିଡ଼ିଓ, ସିଡ଼ିପିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଗ୍ରାମବାସୀଙ୍କ ବିରୋଧକୁ ବେଖାତିର କରି ଜୋର ଜବରଦସ୍ତ ମନ୍ଦିର ପରିସରରେ କାର୍ଯ୍ୟ ଚାଲୁଥିବାର ଜାଣି ଶୁକ୍ରବାର ଗ୍ରାମର ଶତାଧିକ ମହିଳାମାନେ ଏକତ୍ରିତ ହୋଇ କାମ ବନ୍ଦ କରାଇଥିଲେ । କାମ ବନ୍ଦ ନହେବା ଯାଏ ମହିଳାମାନେ ତୁମୁଳକାଣ୍ଡ ଭିଆଇଥିଲେ । ଯାହା ଫଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବାଧ୍ୟ ହୋଇଥିଲେ କାମ ବନ୍ଦ କରିବା ପାଇଁ ।ମନ୍ଦିର ପରିସରରେ ଯଦି ପୁଣି କାର୍ଯ୍ୟ ଚାଲୁ କରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ଗ୍ରାମର ମହିଳା ଓ ପୁରୁଷ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।
