ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ସ୍ମାର୍ଟସିଟିରେ ପୁଣି ଚିହ୍ନଟ ହେଲେ ୩୨ ନୂଆ ଡେଙ୍ଗୁ ରୋଗୀ । ଏଥିସହିତ ଭୁବନେଶ୍ୱରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୬୫ କୁ ବୃଦ୍ଧି । ୫୭ ଜଣ ରୋଗୀଙ୍କ ପରିଚୟ ମିଳିନାହିଁ । ଜାନୁଆରୀ ପହିଲାରୁ ୨୦ ତାରିଖ ମଧ୍ୟରେ ଚିହ୍ନଟ ହୋଇଛନ୍ତି ସମସ୍ତ ରୋଗୀ । ଜୁନ ମାସରୁ ସଂଖ୍ୟା ବୃଦ୍ଧି ପାଉଛି ।
ଜୁନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୯ ଥିବାବେଳେ ଜୁଲାଇରେ ହଠାତ ୨୦୩ କୁ ବୃଦ୍ଧି ପାଇଥିଲା । ଏହା ପରଠାରୁ ଅଗଷ୍ଟ ମାସରେ ସଂଖ୍ୟା ବୃଦ୍ଧି ପାଇ ୭୬୩ ରେ ପହଞ୍ଚି ଥିବାବେଳେ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ଚିହ୍ନଟ ହେଲେଣି ୯୬୭ ଜଣ ରୋଗୀ ।
ଭୁବନେଶ୍ୱରରେ ବିକ୍ଷିପ୍ତ ଭାବେ ଏଡିସ ମଶା କାୟା ବିସ୍ତାର କରିବାରେ ଲାଗିଛି । ତେବେ ମୁଖ୍ୟତଃ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ନିଳାଦ୍ରୀବିହାର ଅଞ୍ଚଳରେ ସର୍ବାଧିକ ୩୦୬ ଜଣ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୧୨, ସାଲିଆସାହିରୁ ୧୬୮, ଆଇଆରସି ଭିଲେଜରୁ ୧୪୬, ୟୁନିଟ ୩ ରୁ ୧୧୯ ଓ ଜୟଦେବ ବିହାର ଅଞ୍ଚଳରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି ।
ସରକାରୀ ଭାବେ ଡେଙ୍ଗୁ ଜନିତ ମୃତ୍ୟୁ ନଥିବା ବେଳେ ଖୋର୍ଦ୍ଧା ସମେତ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାରେ ମଧ୍ୟ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ଏଡିସ ମଶାକୁ ବଂଶ ବିସ୍ତାର ପାଇଁ ସହାୟକ ହୋଇଛି ।
ଆଗକୁ ପୁଣି ବର୍ଷା ଥିବାରୁ ଏକମାସ ପର୍ଯ୍ୟନ୍ତ ଅଧିକ ସଚେତନ ରହିବା ଜରୁରୀ ବୋଲି କୁହାଯାଇଛି । ଭୁବନେଶ୍ୱରରେ ସ୍ଥିତି ସଙ୍ଗିନ ଥିବାବେଳେ ଏହାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ସାପ୍ତାହିକ ଗୁରୁବାର ଓ ରବିବାର ଦୁଇଦିନ ଡ୍ରାଏ ଡେ ପାଳନ ସହ ପଥପ୍ରାନ୍ତ ନାଟକ ଓ ଶୋଭାଯାତ୍ରା ଜରିଆରେ ଜନ ସଚେତନତା ସୃଷ୍ଟି ଜାରି ରହିଛି । ବର୍ଷା ଆରମ୍ଭ ରୁ ଏସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ସବୁ କିଛି ଫେଲ ମାରିଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନର ସ୍ଥିତି ଦେଖି ମଶା ବଂଶ ବିସ୍ତାରର ସମ୍ଭାବ୍ୟ ସ୍ଥାନଗୁଡିକୁ ଚିହ୍ନଟ କରି ବୁସ କଟିଂ କରାଯାଉଛି । ତେବେ ବର୍ଷା ଓ ପାଣିପାଗ ଯୋଗୁଁ ମଶାଧୂଆଁ ସାମୟିକ ଭାବେ ବାଧାପ୍ରାପ୍ତ ରହିଥିବା ବିଏମସି ପକ୍ଷରୁ କୁହାଯାଇଛି ।
ତେବେ ପାଗ ଶୁଖିଲା ହେବା ପରେ ତୁରନ୍ତ ମଶାଧୂଆଁ ଛଡ଼ାଯିବ ବୋଲି ବିଏମସି କମିଶନର କହିଛନ୍ତି । ଆଗକୁ ବର୍ଷା ଥିବାରୁ ଡେଙ୍ଗୁର ପ୍ରକୋପ ବଢିବା ସହିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏଣୁ ଆଗାମୀ ଏକମାସ ପର୍ଯ୍ୟନ୍ତ ଆମକୁ ସଚେତନ ଓ ଯତ୍ନବାନ ହେବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।
