ସୋର : ଗତକାଲି ଗୁରୁବାର, ଅପରାହ୍ନ ୫ ଘଟିକା ସମୟରେ, ସୋର ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗତ ତା ୧୨/୦୯/୨୨ ରିଖ, ସୋର ବ୍ଲକ ପରିସର ମଧ୍ୟରେ ସୋର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଯେନାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଭୀର ଦୁଃଖପ୍ରକାଶ କରିବା ସହ ବିଇଓଙ୍କ ପ୍ରତି ଆକ୍ରମଣ ଅତ୍ୟନ୍ତ ବର୍ବରୋଚିତ, ଅମାନୁଷିକ ଥିଲା, ଏଭଳି ଆଚରଣକୁ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଦୃଢ ନିନ୍ଦା କରିଥିଲେ । ଏହି ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଥିବା ସମସ୍ତ ଅପରାଧୀ ଓ ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରି, କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ମାଧ୍ୟମାରେ ମାନ୍ୟବର ଜିଲ୍ଲାପାଳ, ବାଲେଶ୍ୱର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ସୋର ଥାନା ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏଥିସହ ସଂଘର କର୍ମକର୍ତ୍ତାମାନେ କହିଥିଲେ ଶିକ୍ଷାନୁଷ୍ଠାନ, ଶିକ୍ଷାୟତନ ଓ ଏହାର କାର୍ଯ୍ୟାଳୟକୁ କଳୁଷିତ ମୁକ୍ତ କରିବା ଏବଂ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀମାନଙ୍କ କବଳରୁ ନୀରିହ ଶିକ୍ଷକମାନଙ୍କୁ ସୁରକ୍ଷା ଦେବା ପାଇଁ ଯତ୍ନବାନ ହେବା ପାଇଁ ବୈଠକରେ ସଦସ୍ୟ କହିଥିଲେ । ଯେଉଁ ସମସ୍ତ ସମସ୍ୟାକୁ ଉପଯୁକ୍ତ ଆଲୋଚନା ଓ ଶାନ୍ତିପୂର୍ଣ୍ଣ ସୌହାର୍ଦ୍ର୍ୟ ବାତାବରଣ ମଧ୍ୟରେ ସମାଧାନ ହୋଇପାରିଥାନ୍ତା, କେତେଜଣ କୁଟଚକ୍ରାନ୍ତକାରୀ ଓ ପ୍ରଚ୍ଛଦପଟ୍ଟର ଖଳନାୟକ ଶିକ୍ଷକ ବଦଳି ଘଟଣାକୁ ରକ୍ତରଞ୍ଜିତ ଘଟଣାରେ ରୂପାୟିତ କରିଥିବାରୁ ସଂଗଠନର ସଦସ୍ୟମାନେ ଏହାକୁ ନିନ୍ଦା ଓ ଭତ୍ସନା କରିଥିଲେ । ଗେଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଜେନା କାର୍ଯ୍ୟରେ ଯୋଗଦେବା ଠାରୁ ନିୟମିତ ଭାବେ ଦରମା ପ୍ରଦାନ, Increament, Payfixation, GPF ଉଠାଣ ପ୍ରଭୃତି କାର୍ଯ୍ୟ ସୁଚାରୁ ରୂପେ, ସଠିକ ସମୟରେ ହେଉଥିବାରୁ ସଚଗଠନ ତରଫରୁ ତାଙ୍କୁ ସାଧୁବାନ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜର ସମସ୍ୟାକୁ ସିଧାସଳଖ ଶିକ୍ଷା ଶଧିକାରିଙ୍କୁ ଜଣାଇ ଏହାର ଆଶୁ ସମାଧାନ କରାଇବାକୁ ବୈଠକରେ ଆହ୍ୱାନ କରାଯାଇଥିଲା । ତେବେ ସର୍ବଶେଷରେ ସୋର ବିଇଓଙ୍କ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବାକୁ ସମସ୍ତେ ଚେଷ୍ଟା କରିବାକୁ ବୈଠକରେ ଅନୁରୋଧ କରାଯାଇଥିଲା ।
