ଲଘୁଚାପ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି, ଅଙ୍ଗନୱାଡି ଯିବା ପାଇଁ ଛାତ୍ରଛାତ୍ରୀ ହେଉଛନ୍ତି ହନ୍ତ ସନ୍ତ

ବାଲିଆପାଳ : ବାଲିଆପାଳ ବ୍ଲକର ମଧୁପୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚରବସ୍ତକାଳରୁଇ ଗ୍ରାମର ପକାରାସ୍ତା ଉପରେ ଲଘୁଚାପ ବର୍ଷାରେ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଜମି ଯାଉଛି । ଗହିରା ରାସ୍ତା ହୋଇଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ଅଙ୍ଗନୱାଡିକୁ ଯିବା ପାଇଁ ଛାତ୍ରଛାତ୍ରୀ ହନ୍ତ ସନ୍ତ ହେବା ସହିତ ଚରବସ୍ତକାଳରୁଇ ଗ୍ରାମର ଗ୍ରାମବାସୀ ତଥା ପଡ଼ୋଶୀ ଗାଁ ଚୌଧୁରୀକୁଦ ଗ୍ରାମବାସୀ ଆଣ୍ଠୁଏ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି । ଦୀର୍ଘ ୬ ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ଉଭୟ ଚରବସ୍ତକାଳରୁଇ ଓ ଚୌଧୁରୀକୁଦ ଗ୍ରାମକୁ ପକା ରାସ୍ତା ନିର୍ମାଣ ହୋଇଥିଲା । ରାସ୍ତା ନିର୍ମାଣ ସମୟରେ ଗ୍ରାମର ଭୌଗଳିକ ସ୍ଥିତ ଓ ରାସ୍ତାର ସମତୁଲତା ପ୍ରତି ନଜର ନଦେଇ ବିଭାଗୀୟ ଅଧିକାରୀମାନେ ରାସ୍ତା ନିର୍ମାଣ କରାଇଦେଲେ । ଫଳରେ ଗାଁ ମଝି ରାସ୍ତାଟି ସମ୍ପୂର୍ଣ୍ଣ ଗହୀରାରେ ପକାରାସ୍ତା ନିର୍ମାଣ ହୋଇଥିଲା । ଏହା ଛଡ଼ା ରାସ୍ତାରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ । ସେତେବେଳେ ଗ୍ରାମବାସୀ ଯେତେ ଦାବି କଲେ ବି ଠିକାଦାର କି ବିଭାଗୀୟ ଅଫିସର କେହି ଧ୍ୟାନ ଦେଲେ ନାହିଁ । ଯାହା ଫଳରେ ଅସରାଏ ବର୍ଷା ହେଲେ ଗାଁ ଦଣ୍ଡରେ ଅଣ୍ଠୁଏ ପାଣି ଜମି ଯାଉଛି । ଉକ୍ତ ରାସ୍ତାଟି ଉପରେ ଉଭୟ ଗ୍ରାମର ବାଲିଆପାଳ ଯିବାକୁ ମୁଖ୍ୟ ରାସ୍ତା ଅଟେ । ଏହା ଛଡ଼ା ଚବସ୍ତକାଲରୁଇ ଗ୍ରାମର ଅଙ୍ଗନୱାଡିକୁ ଯିବାର ମୁଖ୍ୟ ରାସ୍ତା ହୋଇଥିବାରୁ କୁନି କୁନି ପିଲାମାନେ ଅଙ୍ଗନୱାଡିକୁ ଯିବା ଆସିବାରେ ହନ୍ତସନ୍ତ ହେଇଛନ୍ତି । ଗ୍ରାମବାସୀମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକା କିଣା ପାଇଁ ଏହି ଆଣ୍ଠୁଏ ପାଣିରେ ପଶି ବାଲିଆପାଳକୁ ଯିବାକୁ ପଡୁଛି ।ଉଭୟ ଗ୍ରାମର ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଉକ୍ତ ବିଷୟରେ ଅବଗତ କରାଇଥିଲେ ମଧ୍ୟ ରାସ୍ତାରୁ ପାଣି ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଉକ୍ତ ରାସ୍ତାଟିକୁ ଉଚ୍ଚା କରାଯିବା ସହିତ ରାସ୍ତାରୁ ପାଣି ନିଷ୍କାସନ ପାଇଁ ରାସ୍ତା ପାର୍ଶ୍ଵରେ ଡ୍ରେନ ବ୍ୟବସ୍ଥା କରା ନଗଲେ ନିଜ ହକ ପାଇଁ ଆଗାମୀ ଦିନରେ ଗ୍ରାମବାସୀମାନେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଗ୍ରାମର ପଞ୍ଚାନନ ସାହୁ, ଅଦୈତ୍ୟ ସାହୁ, ରବୀନ୍ଦ୍ର ସାହୁ, ବିଜୟ ସାହୁ, ପଞ୍ଚାନନ ଭୁୟାଁ, ରାଜେନ୍ଦ୍ର ଭୂୟାଁ, ଅରୁଣ ଭୂୟାଁ, ବସନ୍ତ ଦଣ୍ଡପାଟା, ରାଜେନ୍ଦ୍ର ଦଣ୍ଡପାଟଙ୍କ ସହିତ ଉଭୟ ଗ୍ରାମର ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *