ବିନିକା ଅଞ୍ଚଳରେ ବାଟବଣା ଉଦ୍ୟାନ କୃଷି ଯୋଜନା : ଅଫିସ ଥାଇ ଅଧିକାରୀଙ୍କ ଦେଖାନାହିଁ, ସରକାରୀ ଯୋଜନାରୁ ଚାଷୀ ବଞ୍ଚିତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଉଦ୍ୟାନ କୃଷି ଯୋଜନାର ବାଟବଣା ଅବସ୍ଥା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦୀର୍ଘ ବର୍ଷ ହେଲା ଆଗ୍ରହୀ ଚାଷୀ ଉଦ୍ୟାନ କୃଷି ଯୋଜନାର ଉଚିତ ସୁଫଳ ପାଇ ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବିନିକା ସହର ଉପକଣ୍ଠରେ ଅବସ୍ଥିତ ପାପକ୍ଷୟ ରାସ୍ତା କଡ଼ରେ ପ୍ରାୟ ଦୁଇ ବର୍ଷ ହେଲା ନୂତନ ଭାବରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଅଫିସ ଅଧିକାରୀ ଏଠାକୁ ଆସୁ ନଥିବାରୁ ଚାଷୀ ତାଙ୍କୁ ଭେଟି ନପାରି ନିରାଶରେ ଫେରି ଆସୁଥିବା ଅଭିଯୋଗ ହେଉଛି । ଉଦ୍ୟାନ କୃଷି କାର୍ଯ୍ୟାଳୟରେ ବିନିକା ବ୍ଲକ ପାଇଁ ସରକାର ଏଠାରେ ଅଧିକାରୀଙ୍କ ସମେତ ସମୂହ କର୍ମଚାରୀ ପଦବୀ ପୂରଣ କରିବା ସହ ସେମାନଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି । କିନ୍ତୁ ଏସବୁ ସତ୍ତ୍ବେ ମଧ୍ୟ ଏଠାରେ ନିଜେ ଅଧିକାରୀ କିମ୍ବା କର୍ମଚାରୀ ରହୁ ନଥିବାରୁ ଚାଷୀ କାହାକୁ ଭେଟି ନପାରି ନିରାଶରେ ଫେରି ଆସୁଥିବା ଅଭିଯୋଗ ହେଉଛି । ଦୁଇ ବର୍ଷ ହେଲା ଏଠାରେ ବିନିକା ଉଦ୍ୟାନ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ସହିତ ନୂତନ କୋଠା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବିନିକା ବ୍ଲକ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଥିବା ଅଧିକାରୀ ସୋନପୁରରେ ରହି ଏଠାକୁ ଆସୁ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଅଫିସ ଅଧିକାରୀଙ୍କ ଦେଖା ମିଳୁନଥିବାରୁ ଏହାକୁ ନେଇ ସାଧାରଣରେ ସରକାରୀ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରାଯାଉଛି । ବର୍ଷ ବର୍ଷ ଧରି ଅଞ୍ଚଳବାସୀଙ୍କ ଦାବି ପ୍ରତି ସରକାରଙ୍କ ଅଣଦେଖା ଏବେ ଉଦ୍ୟାନ କୃଷି ଯୋଜନାର ଆଗ୍ରହୀ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ପୂର୍ବରୁ ଚାଷୀ ଯେଉଁଠୁ ଉଦ୍ୟାନ କୃଷି ଯୋଜନାରେ ସାମିଲ ହୋଇ ନିଜ ଇଚ୍ଛା ଅନୁସାରେ ଚାରା ଆଣି ରୋପଣ କରୁଥିଲେ କିନ୍ତୁ ଏବେ ନୂତନ ଉଦ୍ୟାନ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିବା ସତ୍ତ୍ବେ ମଧ୍ୟ ଏଠାରେ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଏବର୍ଷ ମଧ୍ୟ କୌଣସି ଗୋଟିଏ ବି ଚାରା ଲଗା ଯାଇନାହିଁ।ଫଳରେ ଏପରି ସ୍ଥିତିରେ ମଧ୍ୟ ବିନିକା ବ୍ଲକ ଅଞ୍ଚଳର ଲକ୍ଷାଧିକ ଆଗ୍ରହୀ ଚାଷୀ ଏହାର କୌଣସି ପ୍ରକାର ଉଚିତ ସୁଫଳ ପାଇ ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେବେ ଚାଷୀଙ୍କ ଅଭିଯୋଗ କ୍ରମେ ସମସ୍ୟା ସମ୍ପର୍କରେ ବିନିକା ଉଦ୍ୟାନ କୃଷି ଅଧିକାରୀ କିଏ ଅଛନ୍ତି ତାଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାଙ୍କର କୌଣସି ପ୍ରକାର ସଠିକ ତଥ୍ୟ କିମ୍ବା ତାଙ୍କର ଯୋଗାଯୋଗ ନମ୍ବର ମିଲିପାରୁ ନଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଉଛି । ଏସବୁ ସତ୍ତ୍ବେ ଗତ କିଛି ଦିନ ତଳେ ବିଭାଗ ପକ୍ଷରୁ ଏଠାକୁ ସୋନପୁର ଉଦ୍ୟାନ ବିଭାଗ କାର୍ଯ୍ୟାଳୟରୁ କେତେକ ପ୍ରକାର ଗଛ ଚାରା ବଣ୍ଟନ ପାଇଁ ଆଣି ବିନିକା ଉଦ୍ୟାନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭର୍ତ୍ତି କରି ରଖିଥିଲେ ମଧ୍ୟ ବିଭାଗ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ସେସବୁ ଚାରାଗୁଡ଼ିକ ଝାଉଁଳି ପଡ଼ିଥିବା ଦେଖିବାକୁ ମିଳୁଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ସମସ୍ୟାର କୌଣସି ପ୍ରକାର ସମାଧାନ ହେଉ ନଥିବାରୁ ଆଗ୍ରହୀ ଉଦ୍ୟାନ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇବା ସହ ତୀବ୍ର ଅସନ୍ତୋଷ ଦେଖାଦେଉଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *