କାମାକ୍ଷାନଗର : ଗାଁରେ ଛିଡ଼ା ହୋଇଛି ଅଙ୍ଗନୱାଡି କେନ୍ଦ୍ର । ୨ ବର୍ଷ ହେଲା ନିର୍ମାଣ ସରିଲାଣି । ହେଲେ ଏବେବି ଚାଳ ତଳେ ଗଢ଼ା ହେଉଛି ଭବିଷ୍ୟତ । କାରଣ ୪ ଲକ୍ଷ ପାଇଁ ଠିକାଦାରଙ୍କ ପାଖେ ବନ୍ଧା ପଡ଼ିଛି ଅଙ୍ଗନୱାଡି କେନ୍ଦ୍ର । ଖରା, ବର୍ଷା, ଶୀତରେ ଅଙ୍ଗନୱାଡି କର୍ମୀଙ୍କ ଅଣଓସାରିଆ ଦୁଆରେ ନିଜ ବହି ବସ୍ତାନୀ ଧରି ପାଠ ପଢ଼ୁଛନ୍ତି ଦେଶର ଭବିଷ୍ୟତ । ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାଘମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ପ୍ରାୟ ୬ ବର୍ଷ ତଳେ ବାଘମୁଣ୍ଡା ଗାଁରେ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଥିଲା । ମାତ୍ର ତାହା ୨୦୧୬ ମସିହା ପରିବର୍ତ୍ତେ ୨୦୨୦ ମସିହାରେ ସ୍ଥାନୀୟ ପଞ୍ଚାୟତ ଯନ୍ତ୍ରୀଙ୍କ ତତ୍ୱାବଧାନରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଠିକାଦାର ଭାବେ ଏହି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଉକ୍ତ ବର୍ଷ ଏହି କାମ ଶେଷ କରିଥିଲେ ।

ଏହି କାମ ପାଇଁ ଠିକାଦାର ଜଣକ ସମୁଦାୟ ୩ ଲକ୍ଷ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ୪ ଲକ୍ଷ ଟଙ୍କା ପାଇପାରି ନାହାନ୍ତି । ତେଣୁ ସେ ଅଙ୍ଗନୱାଡି କେନ୍ଦ୍ରଟିକୁ ହସ୍ତାନ୍ତର କରୁ ନାହାନ୍ତି ବୋଲି ରୋକଠୋକ କହିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ କିମ୍ବା କଙ୍କଡାହାଡ଼ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ଅଧିକାରି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଅଙ୍ଗନୱାଡି କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇ ନପାରିବାରୁ ତାହା ଏବେ ଅସାମାଜିକ ଯୁବକଙ୍କ ଆଡା ଜମିଛି ।
ସେପଟେ ଅଙ୍ଗନୱାଡି କେନ୍ଦ୍ର ନଥିବା ଯୋଗୁଁ ଶିଶୁମାନେ ବାଧ୍ୟ ହୋଇ ଅଙ୍ଗନୱାଡି କର୍ମୀ ରୀନା ସିଂହଙ୍କ ଦାଣ୍ଡ ଦୁଆରେ ବସି ପାଠ ପଢ଼ୁଛନ୍ତି । ଖରା, ଶୀତରେ ଯେକୌଣସି ମତେ ପିଲା ପିଣ୍ଡାରେ ବସି ପାଠ ପଢ଼ୁଥିବା ବେଳେ ବର୍ଷା ଦିନେ ନାକେଦମ ହେବାକୁ ପଡ଼ୁଛି ବୋଲି କହିଛନ୍ତି ରୀନା ସିଂହ । ୨୦୧୬ ମସିହାରେ ଅଙ୍ଗନୱାର୍ଡି କର୍ମୀ ରୀନା ସିଂହ ଅଙ୍ଗନୱାର୍ଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ସେହି ଦିନ ଠାରୁ ସେ ନିଜ ଘର ଚାଳ ତଳ ପିଣ୍ଡାରେ ଛୁଆଙ୍କୁ ପାଠ ପଢ଼ାଇ ଆସୁଛନ୍ତି ।
