ଔପଦା : ବାଲେଶ୍ୱର ମୟୁରଭଞ୍ଜ ସୀମା ଔପଦା କପ୍ତିପଦା ରାସ୍ତାରେ ବାରମ୍ବାର ଲୁଟ ଏବଂ ଛୀନତାଇ ସାଧାରଣ ଘଟଣାରେ ପରିଣତ ହୋଇଛି । ଆଜି ଅପରାହ୍ନ ୪ଟା ୧୫ ସମୟ ହେବ କପ୍ତିପଦା ବ୍ଲକ ଚତୁରୀସାହି ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ନିବେଦିତା ପାଣିଗ୍ରାହୀ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଓ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଔପଦା ସୀମା କବାଟଘାଇ ଛକରେ ଔପଦା ପଟୁ ବାଇକ ଯୋଗେ ଦୁଇ ଜଣ ଯୁବକ ଆସି ଭୁଜାଲିରେ ଶିକ୍ଷୟିତ୍ରୀଙ୍କ ଡାହାଣ ହାତ ଓ ବେକକୁ ଆକ୍ରମଣ କରି ମଙ୍ଗଳସୂତ୍ର, ଭେନିଟି ଓ ମୋବାଇଲ ନେଇ ଘଟଣା ସ୍ଥଳରୁ ଚାଲିଯାଇଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଆଣି ଔପଦା ମେଡିକାଲରେ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ପରେ ଶ୍ରୀମତୀ ପାଣିଗ୍ରାହୀ ଔପଦା ଥାନାରେ ଜଣାଇଥିଲେ । ଏହି ଘଟଣାରେ ଔପଦା ଥାନା ଆଇଆଇସି କମଳିନୀ ତାଣ୍ଡିଙ୍କ ନିର୍ଦେଶ କ୍ରମେ ଏଏସଆଇ ସଂଗ୍ରାମ କେଶରୀ ବେହେରା ସଦଳ ବଳେ ଶିକ୍ଷୟିତ୍ରୀଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ତଦନ୍ତ କରିଥିଲେ । ଏହି ତଦନ୍ତ ପରେ ଘଟଣା ଘଟିଥିବା ସ୍ଥାନଟି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଂଚଳର ବୋଲି ଏଏସଆଇ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏହାପରେ ଆଇଆଇସି ଶ୍ରୀମତୀ ତାଣ୍ଡି ଶ୍ରୀମତୀ ପାଣିଗ୍ରାହୀଙ୍କୁ ଶରତ ଥାନାରେ ଅଭିଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଠିକ ଏହି ଘଟଣା ସ୍ଥଳରେ ଗତ ଅଗଷ୍ଟ ୨୨ ତାରିଖରେ ଜୈନେକ ଶିକ୍ଷୟିତ୍ରୀଙ୍କ ବେକରୁ ଏହିପରି ସୁନାଚେନ ଓ ଭେନିଟି ଛୀନତାଇ ହୋଇଥିଲା ବେଳେ ସେ ଭୟରେ ଅଭିଯୋଗ କରିନଥିଲେ ।
