ଓଡ଼ିଶା ପ୍ରସିଦ୍ଧ କଂସା-ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ

ଭୁବନେଶ୍ୱର : ଓଡ଼ିଶା ପ୍ରସିଦ୍ଧ କଂସା-ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ । ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧୀନ ‘ଉତ୍କଳିକା’ ପକ୍ଷରୁ ଏହି ଆବେଦନ କରାଯାଇଛି । ଗତ ୫ ତାରିଖରେ ଏ ସଂପର୍କିତ ଏକ ଆବେଦନପତ୍ର ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟକୁ ପଠାଯାଇଛି । କଂସା ଓ ପିତ୍ତଳ ନିର୍ମିତ ସାମଗ୍ରୀ ଉତ୍ପାଦନରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଦୈନନ୍ଦିନ ଜୀବନ, ବିଭିନ୍ନ ଶୁଭ କାମରେ ପିତ୍ତଳ ଓ କଂସା ନିର୍ମିତ ସାମଗ୍ରୀର ବ୍ୟବହାର ହୋଇଥାଏ ।

ତେଣୁ ଓଡ଼ିଶାର ଏହି ଉତ୍ପାଦକୁ ଜିଆଇ ମାନ୍ୟତା ନେଇ ଦାବି କରାଯାଇଛି । ଏଥିପାଇଁ ରାଜ୍ୟର ୨୮ଟି ଜିଲ୍ଲାରେ ଅବସ୍ଥିତ ବିଭିନ୍ନ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି । ଅପରପକ୍ଷେ, ହସ୍ତଶିଳ୍ପ କ୍ଷେତ୍ରରେ କୌଣସି ବସ୍ତୁ ବା ଉତ୍ପାଦ ପାଇଁ ଜିଆଇ ମାନ୍ୟତା ଦାବି କରିବା କ୍ଷେତ୍ରରେ ଚଳିତ ବର୍ଷ ଓଡ଼ିଶାର ଏହା ତୃତୀୟ ଆବେଦନ । ଏହା ପୂର୍ବରୁ କୋଣାର୍କର ପଥର ଖୋଦେଇ, ପିପିଲି ଚାନ୍ଦୁଆ ଓ ରଘୁରାଜପୁର ପଟ୍ଟଚିତ୍ର ଜିଆଇ ମାନ୍ୟତା ହାସଲ କରିଛି । ‌ସେହିପରି କଟକର ତାରକସୀ କାମ ଓ ଓଡ଼ିଶାର କାଇଁଚ କାମକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *