ବାଲିଆପାଳରେ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକ ସଂଘର ଜିଲ୍ଲା ସ୍ତରୀୟ ୪ର୍ଥ ସମ୍ମିଳନୀ ଅନୁଷ୍ଠିତ

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତ କଲ୍ୟାଣମଣ୍ଡପରେ ରବିବାର ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକ ସଂଘର ଜିଲ୍ଲା ସ୍ତରୀୟ ୪ର୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ । ସଭାରେ କେନ୍ଦ୍ରୀୟ ନେତା ଜୟନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସଂଘର ରାଜ୍ଯ ସମ୍ପାଦିକା ହରିପ୍ରୀୟ ସ୍ୱାଇଁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ମାସିକ ୨୬ ହଜାର ଟଙ୍କା ମାସିକ ଦରମା, ଅବସର ପରେ ମାସିକ ସର୍ବନିମ୍ନ ଦଶହଜାରର ପେନସନ ସହିତ ସରକାରୀ ମାନ୍ୟତା ଦାବି ନେଇ ଦାବି ପୂରଣ ନହେବା ଯାଏଁ ବିଧାନ ସଭା ଆଗରେ ଧାରଣାରେ ବସିବା ପାଇଁ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଆହ୍ଵନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ରାଜ୍ୟ କୋଷାଧ୍ୟକ୍ଷା ସୌଦାମିନୀ ଦାସ, ରେମୁଣା ବ୍ଲକ ସଭାପତି ଭାରତୀ ନାୟକ, ନୀଳଗିରି ବ୍ଲକର ସଂଘ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଲୋକନାଥ ଦଳାଇ, ବାଲେଶ୍ଵର ମୁ୍ନସିପାଲଟିର ସମ୍ପାଦିକା ବିବାସିନୀ ପ୍ରଧାନ, ବାଲେଶ୍ଵର ସଦର ୨ର ସଭାପତି ସୁଷମା ପାତ୍ର, ବାଲିଆପାଳ ବ୍ଲକ ସଭାପତି ରାଜଶ୍ରୀ ସାହୁ, ବାଲିଆପାଳ ବ୍ଲକ ସମ୍ପାଦିକା ପୂର୍ଣ୍ଣିମା ଦେ, ସାମାଜିକ କର୍ମୀ ତଥା ଏମ.ପି.ଙ୍କ ପ୍ରତିନିଧି ମହେଶ୍ବର ଜେନା ପ୍ରମୁଖ ଯୋଗେଦେଇ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ୩୮୭ ଜଣ ଅଙ୍ଗନୱାଡି କର୍ମୀ ସହିତ ୩୫୦ ଜଣ ସହାୟିକା ସହିତ ଜିଲ୍ଲାର ୧୨ ଟି ବ୍ଲକର ସଙ୍ଘୀୟ ନେତୃମଣ୍ଡଳୀ ଯୋଗଦେଇ ତିନି ବର୍ଷ ପାଇଁ ସଂଘର କାର୍ଯ୍ୟକର୍ତ୍ତା ଚୟନ କରିଥିଲେ । ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଦାବି ପୁରଣ ପାଇଁ ନାରାବାଜି ସହିତ ସଭାସ୍ଥଳୀରୁ ବିରାଟ ପଟୁଆରରେ ଏକ ଶୋଭାଯାତ୍ରା ବାହାରି ବାଲିଆପାଳ ବଜାର, ବ୍ଲକ ଛକ, ସିମୁଳିଆ ବଜାର ଆଦି ସ୍ଥାନ ପରିକ୍ରମା କରି ସଭାସ୍ଥଳକୁ ଫେରି ସଭାରେ ଯୋଗଦେଇଥିଲେ । ପରିଶେଷରେ ବାଲିଆପାଳ ବ୍ଲକ ଅଙ୍ଗନୱାଡି ସଂଘର ସମ୍ପାଦିକା ପୂର୍ଣ୍ଣିମା ଦେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *