ମୟୂରଭଞ୍ଜ : ଅର୍ଥ ଦେଇନପାରିବାରୁ ମୃତ ନବଜାତ ଶିଶୁକୁ ନେଲାନାହିଁ ସ୍ବର୍ଗ ରଥ । ମୟୂରଭଞ୍ଜ ବାରପଦା ହସ୍ପିଟାଲରୁ ଆସିଲା ସଙ୍ଗୀନ ଦୃଶ୍ୟ । ସ୍ବର୍ଗ ରଥରେ ମୃତ ନବଜାତ ଶିଶୁର ମୃତଦେହ ଗାଁକୁ ନେବା ପାଇଁ କର୍ମଚାରୀ ଅର୍ଥ ମାଗିଥିଲେ । କିନ୍ତୁ ପରିବାରଲୋକେ ଦେଇପାରି ନଥିବାରୁ ମୃତଦେହ ନେବାରେ ଅସମର୍ଥ ହୋଇଥିଲେ ।
ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା । ମୟୁରଭଞ୍ଜ ରାସଗୋବିନ୍ଦପୁର ଥାନା ଅଞ୍ଚଳର ଚୁମିକି ନାୟକଙ୍କୁ ପ୍ରସବ ପାଇଁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୨୯ ତାରିଖରେ ଶିଶୁ ଜନ୍ମ ନେବା ପରେ ଚିକିତ୍ସିତ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ପରେ ଶିଶୁର ମୃତଶରୀର ନେବାପାଇଁ ମେଡିକାଲରେ ପହଞ୍ଚିଥିଲେ ପରିବାର ଲୋକେ । ମୃତ ଶିଶୁକୁ ନେବା ପାଇଁ ଗାଡି ଭଡା ତାଙ୍କ ପାଖରେ ନଥିବାରୁ ହସ୍ପିଟାଲର ସ୍ବର୍ଗରଥ ଯୋଗେ ନେବା ପାଇଁ ବ୍ୟବସ୍ଥା ପାଇଁ ଜଣାଇଥିଲେ । ତେବେ ସ୍ୱର୍ଗ ରଥରେ ନେବା ପାଇଁ ଅର୍ଥ ମାଗିବାରୁ ଶଙ୍କର ଉପାୟ ହୀନ ହୋଇ ମେଡିକାଲ ଫାଣ୍ଡି ସମ୍ମୁଖରେ ବସି ରହିଥିଲେ । ମେଡିକାଲ ପକ୍ଷରୁ ସ୍ବର୍ଗରଥ ଥିଲେ ହେଁ ତାର ସୁଯୋଗ ଏ ଦମ୍ପତ୍ତିଙ୍କୁ ମିଳିପାରି ନଥିଲା ।
ତେବେ ଉକ୍ତ ଘଟଣା ନେଇ ଜିଲ୍ଲାପାଳଙ୍କ ନିକଟକୁ ଖବର ଯାଇଥିଲା । ଏନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଉକ୍ତ ଘଟଣାର ସମାଧାନ ହେବା ସହ ପରିବାର ଲୋକେ ଶିଶୁର ମୃତଦେହକୁ ସ୍ବର୍ଗରଥ ଗାଡ଼ିରେ ନେଇ ଘରକୁ ଯାଇଥିଲେ । ତେବେ ଏହିପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
