ସମ୍ବଲପୁର : ପୋଖରୀ ଖନନ ନକରି ଟଙ୍କା ହଡପ କରିନେଲେ ଅଧିକାରୀ । ଏପରି ଏକ ଅଭିଯୋଗ ଆସିଛି କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଅର୍ଜୁନପାଲି ଗ୍ରାମରୁ । ଗ୍ରାମର ଦୁଷ୍ମନ୍ତ ଖଡିଆଙ୍କ ନାମରେ ପୋଖରୀ ଖୋଳିବାକୁ ପଦକ୍ଷେପ ନିଆଯାଇଥିଲା । ପୋଖରୀ ଖନନ ସକାଶେ ଦୁଷ୍ମନ୍ତଙ୍କୁ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା ।
କାର୍ଯ୍ୟାଦେଶ ନମ୍ବର ମଧ୍ୟ ସରକାରୀ ରିପୋର୍ଟରେ ନଂ ୨୪୦୧୦୨୪/ଆଇଏଫ/୧୦୭୮୪୨୭୦ ଫାର୍ମପଣ୍ଡ ବୋଲି ରହିଛି । ମାତ୍ର ଉକ୍ତ ଗାଁରେ ଏହି ଯୋଜନାରେ କୌଣସି ପୋଖରୀ ଖନନ କରାଯାଇନଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍ମନ୍ତ ଅଜାଣତରେ ୯୦ ହଜାର ୫୭୬ ଟଙ୍କାର ଫାଇନାଲ ବିଲ କରି ଉଠାଯାଇଥିବା ଗୁରୁତର ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଦୁଷ୍ମନ୍ତ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି ।
ଅଭିଯୋଗର ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କରୁନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦୁର୍ନୀତି ଅଭିଯୋଗକୁ ଚପାଇଦେବା ପାଇଁ ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗରେ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପଦକ୍ଷେପ ମିଳିପାରି ନାହିଁ ।
