ଦେଶରେ ଥିବା ୨୧ଟି ନକଲି ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାରୁ ରହିଛି ଦୁଇ

ଭୁବନେଶ୍ବର : ଦେଶରେ ଥିବା ୨୧ଟି ବିଶ୍ବବିଦ୍ୟାଳୟ ନକଲି । ସେଥିମଧ୍ୟରେ ଓଡ଼ିଶାରୁ ୨ଟି ରହିଛି । ଏହି ଆତ୍ମଘୋଷିତ ବିଶ୍ବବିଦ୍ୟାଳୟ‌ କୌଣସି ଡିଗ୍ରୀ ପ୍ରଦାନ କରିବାକୁ କ୍ଷମତାପ୍ରାପ୍ତ ନୁହେଁ । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ଜାରି କରାଯାଇ ଏପରି ପରାମର୍ଶ ଦିଆଯାଇଛି ।

ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଦିଲ୍ଲୀ ସର୍ବାଗ୍ରେ ରହିଛି । ଦିଲ୍ଲୀରେ ସର୍ବାଧିକ ୮ଟି ଜାଲ୍‌ ବିଶ୍ବବିଦ୍ୟାଳୟ ରହିଥିବାବେଳେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୨ଟି ଲେଖାଏଁ ଚିହ୍ନଟ ହୋଇଛି । ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଆତ୍ମଘୋଷିତ ବିଶ୍ବବିଦ୍ୟାଳୟ ଥିବା କୁହାଯାଇଛି । ଓଡ଼ିଶାର ରାଉରକେଲାରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜସ୍ଥିତ ଉତ୍ତର ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟ ୟୁଜିସିର ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ରହିଛି ।

ସେହିପରି ଦିଲ୍ଲୀସ୍ଥିତ ଏଆଇଆଇପିପିଏଚଏସ, କମର୍ସିଆଲ ୟୁନିଭର୍ସିଟି, ୟୁନାଇଟେଡ ନେସନ ୟୁନିଭର୍ସିଟି ଭଳି ୮ଟି ବିଶ୍ବବିଦ୍ୟାଳୟକୁ ଜାଲ୍‌ ଘୋଷଣା କରାଯାଇଛି । ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ୟୁଜିସି ଅଧିନିୟମର ଉଲ୍ଲଙ୍ଘନ କରୁଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *