ଭୁବନେଶ୍ବର : ରାଜ୍ୟରେ ହଇଜା ଆତଙ୍କ । ଯାଉଛି ଲୋକଙ୍କ ଜୀବନ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭୟାବହ ପରିସ୍ଥିତି ସୃଷ୍ଟି କରିସାରିଲାଣି ମାରାତ୍ମକ ହଇଜା । ଦେଢ଼ମାସ ମଧ୍ୟରେ ୪୦ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଦେଢ଼ ମାସ ମଧ୍ୟରେ କେବଳ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ରେ ୩ଶହ ରୁ ଊର୍ଦ୍ଧ୍ବ ଜଣ ଆକ୍ରାନ୍ତ ହୋଇ ୧୯ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ରେ ଥମିବା ପୂର୍ବରୁ କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରକୋପ ବଢ଼ିବାରେ ଲାଗିଛି । ସ୍ଥିତି ଏବେ ବି ଉଦ୍ବେଗ ରହିଛି । ନୂଆ ଅଞ୍ଚଳରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ, ଏଭଳି ପରିସ୍ଥିତିରେ ଗ୍ରାମବାସୀ ଏବଂ ଆକ୍ରାନ୍ତଙ୍କ ସଂପର୍କୀୟ ଯେଉଁ ଆଚରଣ ଦେଖାଉଛନ୍ତି ତାହା ଚକିତ କରୁଛି ।
ଛୁଇଁଲେ କାଳେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରି ରୋଗୀଙ୍କ ନିକଟକୁ ଯାଉନଥିବା ଜଣାପଡ଼ିଛି । ସେହିପରି ଲୋକେ ବି ସ୍ବାସ୍ଥ୍ୟ ବିଭାଗକୁ ବିଶେଷ ସହଯୋଗ କରୁନଥିବା ଦେଖିବାକୁ ମଳିଛି । ବଡ଼ କଥା ହେଲା ଲୋକଙ୍କ ଅଭ୍ୟାସ ଏବଂ ଭୌଗୋଳିକ ସ୍ଥିତି ସହ ପାଣିପାଗକୁ ଯଥା ସମ୍ଭବ ଦୋଷ ଦେବାକୁ ଚେଷ୍ଟା କରାଯାଉଛି । ଅନ୍ୟପକ୍ଷରେ ଦୁର୍ବଳ ଭିତ୍ତିଭୂମି ଏବଂ ଠୋସ୍ ରଣନୀତିର ଅଭାବକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଉଛି । ବର୍ଷା କମିବା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।
ପ୍ରଥମେ ରାୟଗଡ଼ା ଜିଲ୍ଲାରେ ହଇଜା ବ୍ୟାପିଥିଲା । ଏହି ଜିଲ୍ଲାରେ କାଶୀପୁରର ୧୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଲ୍ୟାଣସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ୍ ଦେଢ଼ମାସ ମଧ୍ୟରେ ୨୦ଜଣଙ୍କର ମୃତ୍ୟୁ ହୋଇସାରିଛି । ରାୟଗଡ଼ା ପରେ ସର୍ବାଧିକ ପ୍ରଭାବିତ ହୋଇଛି ନବରଙ୍ଗପୁର ଜିଲ୍ଲା । ମାସକ ମଧ୍ୟରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଢ଼ ଶହରୁ ଊର୍ଦ୍ଧ୍ବ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ସଦ୍ୟତମ ଘଟଣାରେ ବୁଧବାର ସକାଳେ ରାଇଘର ବ୍ଲକ୍ କଚରାପାରା-୩ ପଞ୍ଚାୟତ ଓଡିଣ୍ଡି ଗ୍ରାମର କିଶାନ ଗଣ୍ଡାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି । କିଶାନଙ୍କ ପୂର୍ବରୁ ଏହି ବ୍ଲକ୍ର ଅଞ୍ଚଳାଡିହି ଗ୍ରାମର ଜଣେ ବୃଦ୍ଧାଙ୍କ ଗତ ୬ ତାରିଖରେ ଏବଂ ୮ ତାରିଖରେ ତରେଇଡିହି ଗ୍ରାମରେ ଜଣେ ଅଢ଼େଇ ବର୍ଷର ଶିଶୁ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ ଝାଡ଼ାବାନ୍ତିରେ ସର୍ବାଧିକ ପ୍ରଭାବିତ ହୋଇଛି । ଖୁଣ୍ଟିପଦର ଓ ପଡ଼ାଆଉଁଳି ଗାଁରେ ଦୁଇ ସପ୍ତାହ ମଧ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।
ଆଜି ବି ଉଭୟ ଗାଁର କିଛି ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିଲା । ଜଣେ ଗୁରୁତର ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ଭଳି ସମାନ ଅବସ୍ଥା କୋରାପୁଟ ଜିଲ୍ଲାରେ ରହିଛି । ବୋରିଗୁମ୍ମା ବ୍ଲକ୍ରେ ଗତ ୧୦ଦିନ ମଧ୍ୟରେ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ଆଜି ସୁଦ୍ଧା ୧୨ଜଣ ଆକ୍ରାନ୍ତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସର୍ବାଧିକ ପ୍ରଭାବିତ ଡମ୍ବତୁରୁଞ୍ଜି ଗାଁରେ ସ୍ବାସ୍ଥ୍ୟ ବିଭାଗ ଅସ୍ଥାୟୀ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛି । ଯେଉଁ ବେଗରେ ହଇଜା ବ୍ୟାପୁଛି, ଗମ୍ଭୀର ପରିସ୍ଥିତିର ସଂକେତ ଦେଉଛି । ଖବର ମିଳିଲେ ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ଗାଁରେ ପହଞ୍ଚୁଛି ସତ । ତେବେ ସରକାରୀ ରିପୋର୍ଟରେ ବହୁ ଆକ୍ରାନ୍ତ ତଥା ମୃତକଙ୍କ ତଥ୍ୟ ମିଳୁନି । ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଭାବିତ ଗାଁ ମୁହଁ ଖୋଲିଲେ ସଂଗିନ୍ ସ୍ଥିତିର ବାସ୍ତବ ଚିତ୍ର ପଦାକୁ ଆସୁଛି ।
