ଭୁବନେଶ୍ବର : ଅଳିଆ ଘେରରେ ରାଜଧାନୀ । ହାତ ଟେକିଦେଲେଣି ବିଏମସି କର୍ତ୍ତୃପକ୍ଷ । ୩ ବିଧାୟକଙ୍କୁ ଭରସା କରୁନି ବିଏମସି । ସ୍ଥିତି ଏମିତି ହେଲାଣି ଯେ ସହରବାସୀଙ୍କୁ ମୌଳିକ ସେବା ଦେବାକୁ ବି ବିଏମ୍ସି ଅକ୍ଷମ ହୋଇପଡ଼ିଛି । ଏହାକୁ ନେଇ ରାଜଧାନୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ୧୭ ଦିନ ହେଲା ଦାରୁଠେଙ୍ଗ ଡର୍ମ୍ପିୟାର୍ଡକୁ ଅଳିଆ ଯାଇପାରୁନି । ଟିଟିଏସ୍ ଭର୍ତ୍ତି ହୋଇଗଲାଣି । ସପ୍ତାହେ ହେଲାଣି ନୂଆ ପରିମଳ ସଂସ୍ଥା ମନମାନି ଚଳାଇଛନ୍ତି । ଆବଶ୍ୟକ ସରଞ୍ଜାମ ଓ ମାନବ ସମ୍ବଳ ନଥିଲେ ବି ବିଏମ୍ସି ସେମାନଙ୍କୁ ସଫେଇ ଦାୟିତ୍ବ ଟେକି ଦେଇଛି ।
ବିଏମ୍ସିର ଭୁଲ୍ ପାଇଁ ରାଜ୍ୟ ବାହାରର ପୁରୁଣା ସଫେଇ ସଂସ୍ଥା ସିଧାସଳଖ କର୍ତ୍ତୃପକ୍ଷଙ୍କୁ ନାଲି ଆଖି ଦେଖାଇବାକୁ ସାହସ କରୁଛନ୍ତି । ଏମିତି ଏକାଧିକ ସମସ୍ୟାରେ ଛନ୍ଦି ହୋଇ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ସହରର ବହୁ ସ୍ଥାନରୁ ଆବର୍ଜନା ଉଠୁନି । ଯେତିକି ଉଠୁଛି, ତାହାକୁ ପକେଇବାକୁ ବି ଜାଗା ନାହିଁ । ବିଏମ୍ସି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି । ଆହୁରି ଚିନ୍ତାଜନକ ବିଷୟ ହେଲା ଯେ ବିଏମ୍ସି ଶାସନ ଡୋରି ଶାସକ ଦଳ ହାତରେ ଥିଲାବେଳେ ଭୁବନେଶ୍ବରର ତିନି ବିଧାୟକ ବି ସେହି ଦଳର । ଅନୁଭବ ଓ ଅଭିଜ୍ଞତାରେ ବିଧାୟକମାନେ କିଛି କମ୍ ନୁହନ୍ତି ।
ଏକାମ୍ର ବିଧାୟକ ଅଶୋକ ପଣ୍ଡା ତିନିଥର ବିଧାୟକ ଓ ୮ ବର୍ଷ ମନ୍ତ୍ରୀ ହେଲେଣି । ବିଧାୟକ ଅନନ୍ତ ନାରାୟଣ ଜେନା ପୂର୍ବରୁ ଦୁଇଥର ମେୟର ହୋଇଛନ୍ତି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନିର୍ବାଚନମଣ୍ଡଳୀକୁ ଲାଗି ଦାରୁଠେଙ୍ଗ ପଞ୍ଚାୟତ । ଲୋକସମ୍ପର୍କ ଦୃଷ୍ଟିରୁ ତିନି ବିଧାୟକ କେହି କାହାକୁ କମ୍ ନୁହନ୍ତି । ସାରା ସହର ଏବେ ଏକ ବଡ଼ ସମସ୍ୟାର ସାମ୍ନା କରୁଥିଲା ବେଳେ ଏହି ତିନି ବିଧାୟକଙ୍କର ଦେଖାମିଳୁନି । ସମସ୍ୟାର ସମାଧାନ ପ୍ରକ୍ରିୟାରେ ବିଏମ୍ସି ମେୟର ଓ କମିସନର୍ ସେମାନଙ୍କୁ ସାମିଲ କରିବାକୁ ବି ଆଗ୍ରହ ପ୍ରକାଶ କରୁନାହାନ୍ତି । ଜନପ୍ରତିନିଧିମାନେ ସମନ୍ବୟ ରକ୍ଷା କରି ବିଚାରବିମର୍ଶ କଲେ ହୁଏତ ସମାଧାନର ବାଟ ବାହାରିପାରନ୍ତା । କିନ୍ତୁ ସେପରି କିଛି ଘଟୁ ନାହିଁ । ମେୟର ଓ ବିଧାୟକ ଗୋଟିଏ ଦଳରୁ ପ୍ରତିନିଧିତ୍ବ କରୁଥିଲା ବେଳେ ସମସ୍ୟା ବିରୋଧରେ ଲଢ଼ିବାକୁ ଏକାଠି ହେବାରେ କ’ଣ ସମସ୍ୟା ରହୁଛି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କରିଛନ୍ତି ।
ବିଏମ୍ସି ମେୟର, କମିସନର୍ ଏକପ୍ରକାର ଅସହାୟ ହୋଇପଡ଼ିଲେଣି । ସମସ୍ୟାର ସମାଧାନ ପାଇଁ ବୈଠକ କରୁଛନ୍ତି ସତ । କିନ୍ତୁ ସମାଧାନର ବାଟ ବାହାରି ପାରୁନାହିଁ । ଆବର୍ଜନା ପରିଚାଳନାକୁ ନେଇ ଠୋସ୍ ଯୋଜନାର ଅଭାବ ଯୋଗୁ ବିଏମ୍ସି ବାରମ୍ବାର ଆଣ୍ଠେଇ ପଡ଼ୁଛି । ଖୋଦ୍ ରାଜଧାନୀରେ ଗୁରୁତର ବିଭ୍ରାଟ ଦେଖାଦେଇଥିଲେ ବି ରାଜ୍ୟ ସରକାର ଚୁପ୍ ବସିଛନ୍ତି । ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଖାରବେଳ ଭବନରେ ବସି ନାଟକ ଦେଖୁଛନ୍ତି । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ନିଜେ ପୂର୍ବରୁ ବିଏମ୍ସିର ପ୍ରଶାସକ ଦାୟିତ୍ବ ତୁଲାଇଥିଲେ । ତାଙ୍କରି ସମୟରେ ପରିମଳ ଟେଣ୍ଡର୍ ଚୂଡ଼ାନ୍ତ ହୋଇଥିଲା । ପୁଣି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ମଧ୍ୟ ବିଏମ୍ସି ପ୍ରଶାସକ ଭାବେ ମଙ୍ଗ ଧରିଥିଲେ ।
କିନ୍ତୁ ସହରର ଏହି ସମସ୍ୟା ପ୍ରତି ଦୁଇ ଅଧିକାରୀ ଆଖି ବୁଜି ଦେଇଛନ୍ତି । ନଗର ଉନ୍ନୟନ ବିଭାଗ ନିଜ ଆଡ଼ୁ ସମସ୍ୟାର ସମାଧାନ ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁନାହିଁ । ବିଏମ୍ସି ନିଜେ ସମସ୍ୟାର ସମାଧାନ କରିପାରୁ ନଥିଲେ ମଧ୍ୟ ସରକାରଙ୍କ ନିକଟକୁ ପ୍ରସଙ୍ଗଟି ନେଉନାହିଁ । ବିଏମ୍ସି ମେୟର ଓ କମିସନର୍ ନିଜ ଅପରାଗତା ଧରାପଡ଼ିବା ଭୟରେ କଥା ଉପରକୁ ନେଉ ନାହାନ୍ତି ନା ନଗର ଉନ୍ନୟନ ବିଭାଗ ସହଯୋଗ କରୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
